ଟମାଟୋ ବିଗାଡ଼ିବ ଦରଦାମ୍
ମୁମ୍ବାଇ: ନିକଟରେ ଟମାଟୋ ଦାମ୍ରେ ହଠାତ୍ ହୋଇଥିବା ବୃଦ୍ଧିକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଦରଦାମ୍ ବିରୋଧ ଲଢ଼େଇକୁ ଟମାଟୋ ଦୁର୍ବଳ କରିପାରେ ବୋଲି ସେମାନେ କହିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଟମାଟୋ ଦାମ୍ ୧୦୦ ଟଙ୍କାରୁ ଅଧିକ ରହିଛି। ଟମାଟୋ ଦାମ୍ରେ ହୋଇଥିବା ବୃଦ୍ଧି ଅନେକ ସମୟରେ ଅନ୍ୟାନ୍ୟ ସାମଗ୍ରୀ ଦରବୃଦ୍ଧିର କାରଣ ହୋଇଥାଏ। ଏହି ସମସ୍ୟା ଦୂର କରିବା ଲାଗି ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରାଯିବା ଦରକାର।
ଜଳବାୟୁ ଓ କିଟ ଆକ୍ରମଣ ଲାଗି ଟମାଟୋ ଫସଲ ନଷ୍ଟ ହେବା ପରେ ତାହାର ଦାମ୍ ବୃଦ୍ଧି ପାଇଛି। ଲୋକମାନଙ୍କ ପାଇଁ ଘର ଚଳାଇବା କଷ୍ଟକର ହୋଇପଡ଼ିଛି। ମୁଦ୍ରାସ୍ଫୀତିରେ ଦେଖାଦେଉଥିବା ଅସ୍ଥିରତାର ଏକ ପ୍ରମୁଖ କାରଣ ହେଉଛି ଟମାଟୋ। ଉଭୟ ପାଇକାରୀ ଓ ଖୁଚୁରା ବଜାରରେ ଏହାର ଦାମ୍ ବଢ଼ିଲେ, ଅନ୍ୟ ପରିବା ମହଙ୍ଗା ହୋଇଥାଏ।
ଦୀର୍ଘଦିନରୁ ଏହି ଧାରା ଜାରି ରହିଛି। ଟମାଟୋ ହେଉଛି ଶୀଘ୍ର ନଷ୍ଟ ହେଉଥିବା ଏକ ପରିବା ଏବଂ ଏହାର ଚାଷ ଅବଧି ମଧ୍ୟ ବହୁତ କମ୍। ସେଥିପାଇଁ ବର୍ଷ ସାରା ବିଭିନ୍ନ ସମୟରେ ଟମାଟୋ ଚାଷ କରାଯାଏ। ସେଥିପାଇଁ ଏହାର ମୂଲ୍ୟରେ ନିୟମିତ ବ୍ୟବଧାନରେ ହ୍ରାସ ବୃଦ୍ଧି ଦେଖିବାକୁ ମିଳିଥାଏ।
୨୦୧୧ ଜାନୁଆରିରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତର ଟମାଟୋ, ଆଳୁ ଓ ପିଆଜ ମୂଲ୍ୟର ଦୈନିକ ଦାମ୍କୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି ଯେ ଯୋଗାଣ ଶୃଙ୍ଖଳରେ ସମସ୍ୟା ଦରବୃଦ୍ଧିର ମୁଖ୍ୟ କାରଣ। ଅଦିନିଆ ବର୍ଷା କିମ୍ବା କୌଣସି ସମୟରେ ତାହା ମହଜୁଦ ରଖାଗଲେ ହଠାତ୍ ଦାମ୍ ବଢ଼ିଯାଏ ବୋଲି ରିପୋର୍ଟରେ କୁହାଯାଇଛି।