କହିଲେ ମହିଳାଙ୍କୁ ଅସମ୍ମାନ ଫଳ ଭୋଗିବେ, ମନ୍ମଥ କହିଲେ ସମ୍ମାନ ଦେଲେ ପାଇବ

କହିଲେ ମହିଳାଙ୍କୁ ଅସମ୍ମାନ ଫଳ ଭୋଗିବେ, ମନ୍ମଥ କହିଲେ ସମ୍ମାନ ଦେଲେ ପାଇବ

ଶଙ୍ଖଭବନ ପରେ ଗଣମାଧ୍ୟମରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଓ ମନ୍ମଥ ରାଉତରାୟ । ବିଜେଡିର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ ଉଭୟ ସାମିଲ ହୋଇ ଗଣମାଧ୍ୟମରେ ବୟାନବାଜି କରିଛନ୍ତି। ଶ୍ରୀମୟୀ ନିଜର ଘର କଥା ବାହାରେ କହିବେ ନାହିଁ ବୋଲି ଆଜି ରୋକଠୋକ୍ ମନା କରିଦେଇଥିଲେ ମଧ୍ୟ ବୁଲେଇ ବଙ୍କେଇ ତାଙ୍କ ପ୍ରତି ଅସମ୍ମାନ ହେଇଥିବା କହିଛନ୍ତି । ସେ କହିଛନ୍ତି ମହିଳାଙ୍କୁ ଯିଏ ଅସମ୍ମାନ କରିଛି ତା’ର ଫଳ ତାକୁ ନିଶ୍ଚିତ ଭୋଗିବାକୁ ପଡ଼ିଛି । ଯେଉଁମାନେ ମହିଳାଙ୍କୁ ଅସମ୍ମାନ କରିଛନ୍ତି ତା’ର ଫଳ ସେ ନିଶ୍ଚିତ ପାଇଛନ୍ତି। ପୁରାଣ ଇତିହାସଠୁ ନେଇ ପ୍ରତିଦିନ ତା’ର ଉଦାହରଣ ଦେଖୁଥିବେ । ଶଙ୍ଖଭବନ ବୈଠକରେ ଯାହା ହୋଇଛି ତାହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ଯେତେ ବୁଲେଇବଙ୍କେଇ ପଚାରିଲେ ମଧ୍ୟ ଆମ ଘର ଭିତରର କଥା କହିବି ନାହିଁ । ଗଣମାଧ୍ୟମରେ କହିବା ଶୃଙ୍ଖଳିତ କର୍ମୀର ପରିଚୟ ନୁହେଁ। ସମୀକ୍ଷା ବୈଠକରେ ଯେଉଁ ନେତୃମଣ୍ଡଳୀ ଥିଲେ ସେମାନେ ତା’ର ତର୍ଜମା-ବିଶ୍ଲେଷଣ କରିବେ । ମୋ’ ମତରେ କହିବା ଲୋକ କେବେବି ବଡ଼ ନୁହେଁ, ସହିବା ଲୋକଟି ବଡ଼ । କେଉଁଠି କାହାର ମତାନ୍ତର-ମନାନ୍ତର ରହିଛି ସେକଥା ଦଳର ସଭାପତି ନିଷ୍ପତ୍ତି ନେବେ । ପ୍ରଦୀପ ସାହୁ ମୋର ବଡ଼ ଭାଇ । ନିର୍ବାଚନବେଳେ ମୋତେ ସେ ବହୁତ ବୁଲେଇଛନ୍ତି ବୋଲି ଶ୍ରୀମୟୀ କହିଛନ୍ତି।

ମନ୍ମଥ ମଧ୍ୟ ପାଲଟା ଜବାବରେ କହିଛନ୍ତି  ଦଳରେ ଶୃଙ୍ଖଳା କମିଛି। ମହିଳାମାନେ ସମ୍ମାନ ଆଶା କଲେ ହେବନି ସେମାନେ ମଧ୍ୟ ପରସ୍ପରକୁ ସମ୍ମାନ ଦେବା ଉଚିତ୍ । ସେ ଶ୍ରୀମୟୀଙ୍କୁ ଚିହ୍ନିନ୍ତି ନାହିଁ କି ତାଙ୍କ ସହ କଥା ହୁଏନି। ଏପରିକି ଦଳର ନେତ୍ରୀ ହିସାବରେ ବି ତାଙ୍କ ସହ କଥା ହୁଏନି । ଖାଲି ଟିକେଟ୍ ମିଳିଲା ବେଳେ ତାଙ୍କ ଘରକୁ ଯାଇ ଧନ୍ୟବାଦ କରି ଆସିଥିଲି ବୋଲି ମନ୍ମଥ କହିଛନ୍ତି। ତେବେ ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ହୋଇ ସେ ନିଜ ଦଳର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକା ଶ୍ରୀମୟୀ ମିଶ୍ରଙ୍କୁ କିଭଳି ଚିହ୍ନିଲେ ନାହିଁ ବୋଲି କହିବା ଦଳୀୟ କନ୍ଦଳକୁ ତୀବ୍ର କରାଇଛି । ମନ୍ମଥ  କହିଛନ୍ତି ଯେ, ସାଧାରଣ ନିର୍ବାଚନ ବେଳେ ସେ ନିୟମିତ ଭାବେ ଶ୍ରୀମୟୀଙ୍କଠୁ ପରାମର୍ଶ ଓ ଆଶୀର୍ବାଦ ନେଉଛନ୍ତି ବୋଲି ଗଣମାଧ୍ୟମକୁ ବୟାନ ଦେଇଥିବା ମନ୍ମଥ, ଆଜି ଦଳର ଜଣେ ଆଗଧାଡ଼ିର ନେତ୍ରୀ ତଥା ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକାଙ୍କୁ ଚିହ୍ନନ୍ତି ନାହିଁ କି କଥା ହୁଅନ୍ତି ନାହିଁ ବୋଲି କହି ନିଜର ଦୋମୁହାଁ ଚରିତ୍ରକୁ ପଦାରେ ପକାଇଛନ୍ତି । ଆଉ ବିଜେଡିରେ ଗୋଷ୍ଠୀକନ୍ଦଳ ଉତ୍କଟ ହୋଇଥିବାର ପ୍ରମାଣ ମଧ୍ୟ ଦେଇଛନ୍ତି । ଯାହାକି ଖୋଲାଖୋଲି ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ଉପରେ ନିୟନ୍ତ୍ରଣ ହରାଇଥିବାକୁ ଇଙ୍ଗିତ କରୁଛି ।

ଏସବୁ ପ୍ରସଙ୍ଗ ଉପରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲା ବୈଠକରେ ସେଭଳି କିଛି ହୋଇନି। ସମୀକ୍ଷା ଓ ଆଲୋଚନାବେଳେ ସଂଗଠନକୁ ନେଇ ଏମିତି ଘଟଣା ପ୍ରାୟ ସାମନାକୁ ଆସିଥାଏ । ତା’ର ସମାଧାନ ବି କରାଯାଉଛି । ଏମିତି ନୁହେଁ ଯେ, କେହି ଦଳବିରୋଧୀ କାମ କରୁଛନ୍ତି । ଗତକାଲିର ଆଲୋଚନା ସୁରୁଖୁରୁରେ ପରିସମାପ୍ତି ହୋଇଛି । ଦଳର ଶୃଙ୍ଖଳା ବାହାରେ କାମ କରିବା କାହାର ଆଭିମୁଖ୍ୟ ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେବେ ନିର୍ବାଚନ ପରାଜୟର ପ୍ରାୟ ୩ମାସ ପରେ ସାଂଗଠନିକ ଜିଲ୍ଲାଗୁଡ଼ିକର ସମୀକ୍ଷା ବୈଠକ ଶଙ୍ଖଭବନରେ ଅନୁଷ୍ଠିତ ହେଉଥିବାବେଳେ ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ସ୍ପଷ୍ଟ ବାରି ହୋଇପଡ଼ୁଛି ।