ଅଗଷ୍ଟ ଆରମ୍ଭରୁ ବଡ଼ ବର୍ଷା

ଅଗଷ୍ଟ ଆରମ୍ଭରୁ ବଡ଼ ବର୍ଷା

ଅଗଷ୍ଟ ଆରମ୍ଭରୁ ବଡ଼ ବର୍ଷା
ଭୁବନେଶ୍ୱର: ଲଘୁଚାପ ହଟିବା ପରେ ବି ବର୍ଷା କମିନି । ମୌସୁମୀ ସକ୍ରିୟ ଅଛି । ଉତ୍ତର ପରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପ୍ରବଳ ବର୍ଷା ହୋଇଛି ଗତ ୨୪ ଘଣ୍ଟାରେ । ପାଣିପାଗ ପୂର୍ବାନୁମାନ କହୁଛି, ଏବେ ୨/୩ ବର୍ଷା ସମ।।ନ୍ୟ କମ୍ ରହିପାରେ । ହେଲେ ଅଗଷ୍ଟ ପ୍ରଥମ ସପ୍ତାହରେ ଭଲ ବର୍ଷା ହେବ ଓଡ଼ିଶାରେ । ଅନେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶ ଏଚ.ଆର.ବିଶ୍ୱାସଙ୍କ ପୂର୍ବାନୁମାନ ହେଲା, ଉତ୍ତର ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ଅଛି । ରାଜସ୍ଥାନରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ଓଡ଼ିଶା ଉପର ଦେଇ ମୌସୁମୀ ଟ୍ରଫ ରହିଛି । ଯାହାକି ଏବେ ଶକ୍ତିଶାଳୀ ଅଛି । ତେଣୁ ବର୍ଷା ରହିବ । ବିଶେଷ କରି ୨ କିମ୍ବା ୩ ଅଗଷ୍ଟରୁ ରାଜ୍ୟରେ ବର୍ଷା ବଢ଼ିବ । ଅଗଷ୍ଟ ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ । ବର୍ତ୍ତମାନ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ ଏବେ ବର୍ଷା ପରିମାଣ କମ ରହିବ । ତଥାପି କିଛି କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । ୨ ତାରିଖ ରାତିରୁ ବର୍ଷା ବଢ଼ିବ । ସେ ସମୟରେ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ମଙ୍ଗଳବାର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ବୁଧବାର ରାଜ୍ୟରେ ହାଲକାରୁ ମଧ୍ୟମ ବର୍ଷା ହୋଇପାରେ । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅଗଷ୍ଟ ୧ ରୁ ବର୍ଷା ବଢ଼ିବ । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ଦେବଗଡ଼, ନବରଙ୍ଗପୁର, କୋରାପୁଟରେ ପ୍ରବଳତର ବର୍ଷା ହୋଇପାରେ । ଏସବୁ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨ ତାରିଖରେ ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ପୁରୀ, ଢ଼େଙ୍କାନାଳ, କଟକ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ମୌସୁମୀ ପ୍ରବାହ ଶକ୍ତିଶାଳୀ ଥିବାରୁ ସମୁଦ୍ର ଅଶାନ୍ତ ରହୁଛି ଓଡ଼ିଶା ଉପକୂଳରେ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଉଛି । ଗତ ୨୪ ଘଣ୍ଟା ଭିତରେ ଆଜି ସକାଳେ ସୁଦ୍ଧା ଇନ୍ଦ୍ରାବତୀରେ ୨୬୮.୬ ମିଲିମିଟର ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ୧୭୩ ମିମି ପୁରୀରେ ୧୬୦, ଜୟପୁରରେ ୧୪୯.୬, ଡୁଙ୍ଗୁରିପାଲି ୧୩୮, କୋରାପୁଟରେ ୧୨୮, ବାଲିମେଳାରେ ୧୨୬, କାକଟପୁରରେ ୧୧୬, ବିନିକାରେ ୧୦୧, ନିମାପଡ଼ାରେ ୧୦୦.୬, କୋଲାବରେ ୯୬, ରେଢ଼ାଖୋଲରେ ୯୪, ପିପିଲିରେ ୮୮, ସୋହଲାରେ ୮୦, ବରଗଡ଼ରେ ୮୨.୨, ବିଜେପୁରରେ ୭୮, ବାଣପୁରରେ ୭୫, ସୋନପୁରରେ ୭୪, ଗୋପରେ ୭୧, ପଟାଙ୍ଗିରେ ୭୦, ମାଲକାନଗିରିରେ ୭୭.୪, ଖଇରାମାଳରେ ୬୮, ଖଣ୍ଡପଡ଼ାରେ ୬୪, ବୁର୍ଲାରେ ୬୦.୨, ଆସିକାରେ ୬୧.୮, ହୀରାକୁଦରେ ୫୪, କେନ୍ଦୁଝରରେ ୫୪.୬, ମିଲିମିଟର, ବାଲେଶ୍ୱରରେ ୫୯.୩ ତେଲକୋଇରେ ୫୦.୨, କଣ୍ଟାମାଳରେ ୫୧ ମିମି ବର୍ଷା ହୋଇଥିଲା । ଏତେ ବର୍ଷା ସତ୍ତେ୍ୱ ଏବେ ବି ରାଜ୍ୟରେ ମୌସୁମୀ ବର୍ଷା ପରିମାଣ ୨୦ ପ୍ରତିଶତ କମ୍ ରହିଛି । ୧୭ ଜିଲ୍ଲାରେ ବର୍ଷା କମ ରହିଛି । ଅଗଷ୍ଟ ପହିଲାରେ ହେବାକୁ ଥିବା ବର୍ଷାରେ ଏହି ଅଭାବ ପୂରଣ ହେବ ବୋଲି ଆଶା କରାଯାଉଛି ।