ଅଜିତ-ଶରଦ ବିବାଦର ମୂଳ କାରଣ
ଅଜିତ-ଶରଦ ବିବାଦର ମୂଳ କାରଣ
admin
Nov 29, 2019 - 07:16
Updated: Nov 29, 2019 - 07:16
ନୂଆଦିଲ୍ଲୀ : ଏନ୍ସିପି ସୁପ୍ରିମୋ ଶରଦ ପାୱାର ଏବଂ ତାଙ୍କ ପୁତୁରା ତଥା ଏନ୍ସିପି ବିଧାୟକ ଦଳ ନେତା ଅଜିତ ପାୱାରଙ୍କ ମଧ୍ୟରେ କେଉଁ କାରଣ ପାଇଁ ବିବାଦର ସୂତ୍ରପାତ ହୋଇଥିଲା ଏବେ ସେ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ଗତ ଶୁକ୍ରବାର ସନ୍ଧ୍ୟା ତଥା ନଭେମ୍ବର ୨୨ ତାରିଖରେ ଶିବସେନା, ଏନ୍ସିପି କଂଗ୍ରେସ ମଧ୍ୟରେ ବୈଠକ ହୋଇଥିଲା । ଏହିଦିନ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏନ୍ସିପି ସୁପ୍ରିମୋ ଶରଦ ପାୱାର ଘୋଷଣା କରିଥିଲେ । ତେବେ ଅଜିତ ପାୱାର ଏନ୍ସିପିର ବିଧାୟକ ଦଳ ନେତା ହୋଇଥିଲେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ହେବା ନେଇ ନିର୍ଦ୍ଧିଷ୍ଟ ଭାବେ କୌଣସି ଘୋଷଣା ହୋଇନଥିଲା । ତେଣୁ ଅଜିତ ଅଧୈର୍ଯ୍ୟ ହୋଇ ଏମିତି କରିଥାଇପାରନ୍ତି ବୋଲି କୁହାଯାଉଛି । ତେବେ ଅଜିତ ଏବଂ ଶରଦଙ୍କ ମଧ୍ୟରେ ଥିବା ବିବାଦ ପଛରେ ୨୦୦୯ ମସିହାର ଏକ ଘଟଣା ରହିଥିବା କୁହାଯାଉଛି ।
୨୦୦୯ ଅକ୍ଟୋବରରେ କଂଗ୍ରେସର ଅଶୋକ ଚୌହାନ ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେଲେ । କଂଗ୍ରେସ ୮୨ ଆସନରେ ଜିତିଥିଲା ଏବଂ ଏନ୍ସିପି ୬୨ ଆସନରେ ଜିତିଥିଲା । ତେବେ ସେ ସମୟରେ ଶରଦ ପାୱାର ଅଜିତ ପାୱାରଙ୍କ ବଦଳରେ ଛଗନ ଭୁଜବଳଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ବାଛିଥିଲେ । ଅଜିତ ପାୱାର ୨୦୧୦ ନଭେମ୍ବରରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହିପରି ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାରଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ଟିକଟ୍ ଦେବା ସଂକ୍ରାନ୍ତରେ ମଧ୍ୟ ଉଭୟଙ୍କ ମଧ୍ୟରେ ଭୁଲ୍ ବୁଝାମଣା ହୋଇଥିଲା । ଶରଦ ପାୱାର ପାର୍ଥଙ୍କୁ ଟିକେଟ୍ ଦେବାପାଇଁ ମନା କରିଥିବା ବେଳେ ଅଜିତ ପାୱାର ଜିଦ୍ କରି ତାଙ୍କ ପୁଅ ପାଇଁ ମାଭଲ୍ ନିର୍ବାଚନ ମଣ୍ଡଳୀ ପାଇଁ ଟିକଟ୍ ଆଣିଥିଲେ । କିନ୍ତୁ ପାର୍ଥ ପରାଜିତ ହୋଇଥିଲେ । ଏହା ବ୍ୟତୀତ ଭବିଷ୍ୟତରେ ଏନ୍ସିପିର ନେତୃତ୍ୱ ନେବାପାଇଁ ଶରଦ ପାୱାର ଅଜିତଙ୍କୁ ଅଧିକ ପ୍ରୋତ୍ସାହନ ଦେଉନଥିବାରୁ ଏହା ମଧ୍ୟ ଏକ ବଡ଼ କାରଣ ବୋଲି କୁହାଯାଉଛି ।