ଆଜି ଜଳହସ୍ତୀ ଦିବସ
ଆଜି ଜଳହସ୍ତୀ ଦିବସ
admin
Feb 15, 2021 - 13:47
Updated: Feb 15, 2021 - 13:47
ଆଜି ‘ ଜଳହସ୍ତୀ ଦିବସ’ ବା ଇଂରାଜୀରେ ‘ ହିପୋପଟାମସ ଡେ’ । ‘ହିପୋ’ ଏକ ଗ୍ରୀକ ଶଦ୍ଧ: ଏହାର ଅର୍ଥ ଜଳରେ ବାସ କରୁଥିବା ଅଶ୍ୱ । ବିଭିନ୍ନ ଭାଷାରେ ଏହାକୁ ଜଳଅଶ୍ୱ କୁହାଯାଏ । ତେବେ ଓଡିଆରେ, କାହିଁକି ଜଳହସ୍ତୀ କୁହାଯାଉଛି, ଅଜଣା! ଏହା ବିଶ୍ୱର ତୃତୀୟ ବୃହତମ (ପ୍ରଥମ-ହାତୀ, ଦ୍ୱିତୀୟ-ଗଣ୍ଡା) ଭୂଚର ସ୍ତନ୍ୟପାୟୀ ପ୍ରାଣୀ । ଏହା କେବଳ ଉପ-ସାହାରା ଆଫ୍ରିକୀୟ ଅଂଚଳରେ ଦେଖାଯାଏ । ଏହା ତୃଣଭୋଜୀ । ଅଧିକାଂଶ ସମୟ ପାଣି ପାଖରେ ରହିବାକୁ ତଥା ପାଣିରେ ବୁଡିବାକୁ ଭଲପାଏ । ତିନିରୁ ପାଂଚ ମିନିଟ୍ ପାଣି ଭିତରେ ବୁଡି ରହିପାରେ । ଏହା ପାଣି ତଳେ ଶୋଇପାରେ । ଶୋଇଥିବା ବେଳେ ଶ୍ୱାସକ୍ରିୟା ପାଇଁ ତିନିରୁ ପାଂଚ ମିନିଟ ଭିତରେ ଉପରକୁ ଉଠେ । ଘାସ ଏହାର ମୁଖ୍ୟ ଖାଦ୍ୟ । ରାତିରେ ଘାସ ଚରେ । ଅଠଷଠି କିଲୋଗ୍ରାମ ପର୍ଯ୍ୟନ୍ତ ଘାସଖାଏ । ଫସଲ ଉଜାଡେ । ବିଶାଳକାୟ ହୋଇଥିଲେ ହେଁ ଦ୍ରୁତଗତିରେ ଧାଇଁପାରେ, ଘଂଟା ପ୍ରତି ବେଗ ପ୍ରାୟ ତିରିଶ କିଲୋମିଟର । ଏହା ଭୀଷଣ ହିଂସ୍ର ଏବଂ ଅତି ମାରାତ୍ମକ ପ୍ରାଣୀ । କେତେବେଳେ କ’ଣ କରିବ ପୂର୍ବାନୁମାନ କଷ୍ଟକର । ବେଳେ ବେଳେ ଡଙ୍ଗାରେ ଯାଉଥିବା ମଣିଷଙ୍କୁ ଆକ୍ରମଣ କରେ । କିଛିଦିନ ତଳେ ଆଫ୍ରିକାର ଏକ ନଦୀରେ ହିପୋ ଆକ୍ରମଣରେ ତେର ଜଣ ମଣିଷଙ୍କର ପ୍ରାଣ ଯାଇଥିଲା ।