ଆଜି ଶ୍ରୀରାମ ନବମୀ

ଆଜି ଶ୍ରୀରାମ ନବମୀ

ଆଜି ଶ୍ରୀରାମ ନବମୀ
ଆଜି ହେଉଛି ପବିତ୍ର ରାମ ନବମୀ। ରାମ ନବମୀ ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପାଳନ କରାଯାଏ। ଏହି ବର୍ଷର ରାମ ନବମୀ ଅତ୍ୟନ୍ତ ଶୁଭପ୍ରଦ ଅଟେ। ଏହା ଅତ୍ୟନ୍ତ ପୁଣ୍ୟପ୍ରଦ ମଧ୍ୟ ଅଟେ। ରାମ ନବମୀ ଦିନ ବ୍ରତ ରଖିବାର ମଧ୍ୟ ପରମ୍ପରା ରହିଛି।ଶ୍ରୀରାମ ନବମୀ ଏକ ସର୍ବ-ଭାରତୀୟ ହିନ୍ଦୁ ପର୍ବ । ଏହାର ପାଳନ ଜନ୍ମାଷ୍ଟମୀର ବହୁ ପୁର୍ବରୁ ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ । କାରଣ ଭଗବାନ ବିଷ୍ଣୁ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଅବତାର ଧାରଣ କରିବାର ବହୁ ପୂର୍ବରୁ ତ୍ରେତା ଯୁଗରେ ରାମାବତାରରେ ପ୍ରକଟିକ ହୋଇଥିଲେ । ବିଭିନ୍ନ ପୁରାଣ, ରାମାୟଣ ,ମହାଭାରତ ଆଦିରେ ପ୍ରଭୁ ରାମଙ୍କ ଜନ୍ମ ଓ ଲୀଳା ବର୍ଣ୍ଣିତ । ଲଙ୍କା -ନରେଶ ରାମଣଙ୍କ ଅତ୍ୟାଚାରରେ ପୀଡିତ ହୋଇ ଦେବତା, ଗନ୍ଧର୍ବ ଓ ମୁନି-ଋଷିମାନେ ଶତ୍ରୁ-ସଂହାରକ ବିଷ୍ଣୁଙ୍କୁ ପ୍ରାର୍ଥନା କରିଥିଲେ । ଆଉ ସେ ଆଶ୍ୱାସନା ପ୍ରଦାନ ପୂର୍ବକ ରାବଣଙ୍କୁ ତାଙ୍କର ପୁତ୍ର,ପୌତ, ଜ୍ଞାନ,ବନ୍ଧୁ ଓ ଅନଚରଙ୍କ ସହ ସମୂଳେ ସଂହାର କରିବା ପାଇଁ ମଣିଷ ଅବତାର ନେବେ ବୋଲି କହିଥିଲେ । ଚୈତ୍ର ମାସ ନବମୀ ତିଥି, ପୁନର୍ବାସୁ ନକ୍ଷତ୍ରରେ ରବି ମେଷ ରାଶିରେ ମଙ୍ଗଳ ମକର ରାଶିରେ ଶନି ତୁଳା ରାଶିରେ ବୃହସ୍ପତି ଓ ଚନ୍ଦ୍ର କର୍କଟ ଏବଂ ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ କର୍କଟ ଲଗ୍ନରେ କୌଶଲ୍ୟାଙ୍କ ଗର୍ଭରୁ ପ୍ରଭୁ ପ୍ରକଟିତ ହୋଇଥିଲେ । ସେ ଭଗବାନ ବିଷ୍ଣୁଙ୍କ ଅର୍ଦ୍ଧାଂଶ ସମ୍ଭୁତ । ତାଙ୍କ ନେତ୍ର ପ୍ରାନ୍ତ ଲୋହିତ ,ଓଷ୍ଠ ପୁଟ ରକ୍ତ ବର୍ଣ୍ଣ ଓ କଣ୍ଠ ସ୍ୱର ଦୁନ୍ଦୁଭି ପରି ଗମ୍ଭୀର ଥିଲା । ସେ ଥିଲେ ଅମୀତ ତେଜସ୍ୱୀ । ଶ୍ରୀରାମ ନବମୀରେ ପୁରୀ ବଡ ଦେଉଳରେ ଶ୍ରୀଜଗନ୍ନାଥ, ରଘୁନାଥ ବେଶ ଧାରଣ କରନ୍ତି । କଟକ, ଓଡଗାଁ ଓ ଯାଜପୁର ଶ୍ରୀ ରଘୁନାଥ ମନ୍ଦିରରେ ଏହି ଦିନରେ ସ୍ୱତନ୍ତ୍ର ପୂଜା- ଅନୁଷ୍ଠାନ କରାଯାଏ । ଏହି ଦିନରେ ‘ରାମାୟଣ ପାଠ’ର ପରମ୍ପରା ସୁପ୍ରାଚୀନ ।