ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି : ଡିଗ୍ରି କଲେଜରେ ପାଠପଢ଼ା ଯାଞ୍ଚ କରିବେ ୧୫ ଅଧିକାରୀ

ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି : ଡିଗ୍ରି କଲେଜରେ ପାଠପଢ଼ା ଯାଞ୍ଚ କରିବେ ୧୫ ଅଧିକାରୀ

ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି : ଡିଗ୍ରି କଲେଜରେ ପାଠପଢ଼ା ଯାଞ୍ଚ କରିବେ ୧୫ ଅଧିକାରୀ
ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧିକାରୀ ଥିବା ଡିଗ୍ରି କଲେଜ ଗୁଡ଼ିକରେ ପାଠପଢ଼ା ଯାଞ୍ଚ ପାଇଁ ୧୫ ଜଣ ଅଧିକାରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ ପ୍ରଦାନ କରିଛି । ଏ ନେଇ ଆଜି ଉଚ୍ଚଶିକ୍ଷା ବିଭାଗରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏସବୁ କଲେଜ ଯାଞ୍ଚ କରି ଏକ ସପ୍ତାହ ଭିତରେ ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ଜାରି ହୋଇଥିବା ବିଭାଗୀୟ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟରେ ୧୦୧ଟି ଡିଗ୍ରି କଲେଜରେ ଟେଲିକମ୍ୟୁନିକେସନସ କନସଲଟାଣ୍ଟସ ଇଣ୍ଡିଆ ଲିମିଟେଡ (ଟିସିଆଇଏଲ) ସହାୟତାରେ ଚାଲିଥିବା ଭର୍ଚୁଆଲ କ୍ଲାସରୁମରେ ନିୟମିତ ପାଠପଢ଼ା ଚାଳିଛି କି ନାହିଁ ତାର ଅନୁଧ୍ୟାନ କରାଯିବ । ଏଥିପାଇଁ ୫ଟି ଟିମରେ ୩ ଜଣ ଲେଖାଏଁ ଅଧିକାରୀ ୩୦ଟି ଯାକ ଜିଲ୍ଲା ବୁଲିବେ । ପ୍ରଥମ ଟିମ୍ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଥିବା ୧୭ଟି ଡିଗ୍ରି କଲେଜରେ ପାଠପଢ଼ା ଯାଞ୍ଚ କରିବେ । ସେହିପରି ଦ୍ୱିତୀୟ ଟିମ୍ ଗଜପତି, ଗଞ୍ଜାମ, କନ୍ଧମାଳ ଜିଲ୍ଲାରେ ଥିବା ୧୦ଟି କଲେଜରେ ସ୍ଥିତି ଅନୁଧ୍ୟାନ କରିବେ । ତୃତୀୟ ଟିମ ଅନୁଗୁଳ, କଟକ, ଢ଼େଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲା ଗସ୍ତ କରି ସେ ସବୁ ଜିଲ୍ଲାରେ ୩୦ଟି ସରକାରୀ ଡିଗ୍ରି କଲେଜରେ ଭର୍ଚୁଆଲ କ୍ଲାସରୁମ ଜରିଆରେ କିପରି ପାଠପଢ଼ା ଚାଲିଛି ସେ ସବୁର ତଥ୍ୟ ଅଧିକାରୀମାନେ ସଂଗ୍ରହ କରିବେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଗସ୍ତ କରି ଚତୁର୍ଥ ଟିମ୍ ସେଠାରେ ଥିବା ୧୧ଟି କଲେଜର ସ୍ଥିତି ଯାଞ୍ଚ କରିବା ସହ ପଞ୍ଚମ ଟିମ୍ ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼ ଝାରସୁଗୁଡା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୩୩ଟି ଡିଗ୍ରି କଲେଜରେ ସ୍ମାର୍ଟ ପାଠପଢ଼ା ନେଇ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।