ଋଷିକୁଲ୍ୟା ମୁହାଣରେ ଅଣ୍ଡା ଦେଲେଣି ୩ ଲକ୍ଷରୁ ଊଦ୍ଧ୍ୱର୍ ଅଲିଭ ରିଡଲେ

ଋଷିକୁଲ୍ୟା ମୁହାଣରେ ଅଣ୍ଡା ଦେଲେଣି ୩ ଲକ୍ଷରୁ ଊଦ୍ଧ୍ୱର୍ ଅଲିଭ ରିଡଲେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଅଲିଭ ରିଡଲେଙ୍କ ଗଣ ଅଣ୍ଡାସାନ ଜାରି ରହିଛି । ଷଷ୍ଠ ଦିନରେ ୩୦ ହଜାର ୧୧୭ ଅଲିଭ ରିଡଲେ ଅଣ୍ଡା ଦାନ କରିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏହାକୁ ମିଶାଇ ଏ ବର୍ଷ ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ ଲକ୍ଷ ୦୮ ହଜାର ୯୧୭ ଅଲିଭ ରିଡଲେ ଅଣ୍ଡା ଦାନ କରିସାରିଲେଣି । ମୁହାଣର ୫ କିମି ବ୍ୟାପୀ ବେଳାଭୂମିରେ ଏହି ଗଣ ଅଣ୍ଡାଦାନ ଜାରି ରହିଛି । ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ୨୦ ତାରିଖ ସୁଦ୍ଧା ସମୁଦାୟ ୩୩୮ ଟି କଇଁଛ ବେଳାଭୂମିରେ ଅଣ୍ଡା ଦେଇଥିଲେ । ଗତ ୧୫ ତାରିଖରୁ ପାଗ ଅନୁକୂଳ ଯୋଗୁଁ ଗଣ ଅଣ୍ଡାଦାନ ପ୍ରକି୍ରୟା ଆରମ୍ଭ ହେବାର ସଙ୍କେତ ମିଳିଥିଲା । ଗତ ୨୦ ତାରିଖ ଭୋର ୩ଟା ୧୦ରେ ନୂଆ ପୋଡମପେଟାଠାରୁ ପୁରୁଣା ବନ୍ଧ ୩ କିମି ବେଳାଭୂମିରେ ୨ ହଜାର ୩୪ ଅଲିଭ ରିଡଲେ ଅଣ୍ଡାଦାନ କରିଥିଲେ । କିନ୍ତୁ ୨୧ ତାରିଖ ଦିନ ବେଳେ ବିରଳ ଘଟଣା ଦେଖିବାକୁ ମିଳିଥିଲା । ହଜାର ହଜାର କଇଁଛ ବେଳାଭୂମିରେ ଅଣ୍ଡା ଦେଇଥିଲେ । ଏଥିସହ ପ୍ରଥମ ଥର ପାଇଁ ଏହି ଦିନ ଗଞ୍ଜାମ ଉପକୂଳରେ ଗୋଟିଏ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ‘ଆଲବିନୋ’ ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରୟାଗୀଠାରୁ ବଟେଶ୍ୱର ପର୍ଯ୍ୟନ୍ତ ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ନୂଆ ପୋଡମପେଟାଠାରୁ ପୁରୁଣାବନ୍ଧ ମଧ୍ୟରେ ପୁଲିସ ଫୋର୍ସ ମୁତୟନ ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।