ଏଥର ଭାରତରେ ହେବନି ଆଇପିଏଲ୍ ।

ଏଥର ଭାରତରେ ହେବନି ଆଇପିଏଲ୍ ।

ଏଥର ଭାରତରେ ହେବନି ଆଇପିଏଲ୍ ।
କଟକ: କରୋନା ଭୟାବହତା ଯୋଗୁଁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣକୁ ଏଥର ଦେଶ ବାହାରେ ଆୟୋଜନ ପାଇଁ ବିସିସିଆଇ ଚିନ୍ତା କରୁଛି । ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାକୁ ପ୍ରାଥମିକ ଭାବେ ବାତିଲ କରାଯାଇଛି । ତେବେ ଏହାକୁ କମ୍ ମ୍ୟାଚ ମଧ୍ୟରେ ସୀମିତ ରଖିବାକୁ ବିସିସିଆଇ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । କିନ୍ତୁ କମ ମ୍ୟାଚ ଅପେକ୍ଷା ବିସିସିଆଇ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ମ୍ୟାଚ ଆୟୋଜନ କରିବାକୁ ଯାଉଥିବା ଏକ ଜାତୀୟ ଗଣମାଧ୍ୟମ ପ୍ରକାଶ କରିଛି । ଯଦି ପ୍ରତିଯୋଗିତାକୁ ଭାରତରେ ଆୟୋଜନ କରିବା ସମ୍ଭବ ନ ହୁଏ, ତା ହେଲେ ଏହାକୁ ଦେଶ ବାହାରକୁ ନିଆଯାଇପାରେ । ସବୁ ଖେଳାଳି ଉପଲବ୍ଧ ନ ହେଲେ ବି ପ୍ରତିଯୋଗିତାକୁ ବିଳମ୍ବରେ ଆୟୋଜନ କରିବାକୁ ବିସିସିଆଇ ପ୍ରସ୍ତୁତ ହେଉଛି । ଏଥିପୂର୍ବରୁ ୨୦୦୯ ରେ ଦକ୍ଷିଣ ଆଫ୍ରିକାରେ ଆଇପିଏଲ ଆୟୋଜନ ହୋଇଥିଲା ମାତ୍ର ୩୭ ଦିନରେ ଶେଷ ହୋଇଥିଲା । ଯଦି ବର୍ତ୍ତମାନର ସ୍ଥିତିରେ ସୁଧାର ନ ଆସେ ତା ହେଲେ ଚଳିତ ସଂସ୍କରଣକୁ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଆୟୋଜନ କରାଯାଇପାରେ । ଏହି ଅବଧି ମଧ୍ୟରେ କେବଳ ଇଂଲଣ୍ଡ ଓ ପାକିସ୍ତାନକୁ ବାଦ୍ ଦେଲେ ଅନ୍ୟ ଦେଶମାନଙ୍କର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ନାହିଁ । ଭାରତୀୟ ଦଳ ଜୁନ/ଜୁଲାଇରେ ଶ୍ରୀଲଙ୍କାରେ ୩ ଦିନିକିଆ ଓ ୩ ଟ୍ୱେଣ୍ଟି ୨୦ ଖେଳିବାକୁ ଥିବା ବେଳେ ସେପ୍ଟେମ୍ବର ଏସିଆ କପ ଖେଳିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଇପିଏଲର ପରିବର୍ତ୍ତିତ କାର୍ଯ୍ୟସୂଚୀ ଦିଗରେ ବିସିସିଆଇ ଯୋଜନା କରୁଥିବା କୁହାଯାଉଛି ।