୧୭୦ ରାଷ୍ଟ୍ରରେ କରୋନାର ଆତଙ୍କ
୧୭୦ ରାଷ୍ଟ୍ରରେ କରୋନାର ଆତଙ୍କ
admin
Mar 19, 2020 - 10:24
Updated: Mar 19, 2020 - 10:24
କରୋନା ମୃତ୍ୟୁ ୮,୨୫୦ରେ ପହଞ୍ଚିଲା, ୩୦ ଦିନ ଯାଏ ସବୁ ସୀମା ବନ୍ଦ କଲା ୟୁରୋପ, ମଧ୍ୟପ୍ରାଚ୍ୟରେ ଭାଇରସର କେନ୍ଦ୍ରସ୍ଥଳ ଇରାନ, ଇରାନ ମୃତ୍ୟୁ ସଂଖ୍ୟା ୧୧୦୦ ଟପିଲା, ବ୍ରିଟେନ ସରକାରଙ୍କ କରୋନା ପରାମର୍ଶଦାତା ଆକ୍ରାନ୍ତ, ଇଟାଲୀରେ ୩୨,୦୦୦ ଟପିଲା, ପାକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦କୁ ବୃଦ୍ଧି, ୬ ମାସ ପାଇଁ ଜାତୀୟ ବିପର୍ଯ୍ୟୟ ଘୋଷଣା କଲା ଫିଲିପାଇନ୍ସ, ଆମେରିକା-କାନାଡ଼ା ସୀମା ବନ୍ଦ, ବେଲଜିୟମରେ ବି ଲକଡାଉନ୍
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ଭାଇରସର ପ୍ରକୋପ ଜାରି ରହିଛି । ୧୭୦ ରାଷ୍ଟ୍ରକୁ କରୋନା ଭାଇରସ ବ୍ୟାପି ସାରିଥିବା ବେଳେ ବୁଧବାର ସୁଦ୍ଧା ୨୦୪,୦୩୭ ଜଣ ଭାଇରସ ଆକ୍ରାନ୍ତ ହୋଇଛନ୍ତି ଏବଂ ୮,୨୫୦ ଜଣଙ୍କ ମୃତ୍ୟୁ ହୋଇଛି । ସାରା ବିଶ୍ୱରେ ଏବେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଚୀନକୁ ଟପିଯାଇଛି । ଇଟାଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୦୦୦ ଅତିକ୍ରମ କରିଛି । ଚୀନ ପରେ ଏଠାରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ଇଟାଲିରେ କରୋନା ଭାଇରସ ପାଇଁ ୨,୫୦୩ ଜଣଙ୍କ ମୃତ୍ୟୁ ହୋଇଛି । ୟୁରୋପୀୟ ରାଷ୍ଟ୍ର ଇଟାଲୀ ପରେ ଏବେ ଇରାନ ମଧ୍ୟପ୍ରାଚ୍ୟରେ ଭାଇରସର କେନ୍ଦ୍ର ସ୍ଥଳ ପାଲଟିଛି । ଇରାନରେ ପୁଣି ଗୋଟିଏ ଦିନରେ ୧୪୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଇରାନର ମୃତ୍ୟୁ ସଂଖ୍ୟା ୧୧୩୫ ରେ ପହଞ୍ଚିଛି । ଇରାନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୦୦୦ ଟପିଛି । ୟୁରୋପୀୟ ରାଷ୍ଟ୍ର ଗୁଡ଼ିକର ସ୍ଥିତି ସାଂଘାତିକ ହୋଇଥିବାରୁ ୟୁରୋପୀୟ ସଂଘ ନେତା ୟୁରୋପର ସମସ୍ତ ସୀମା ବନ୍ଦ କରିବାକୁ ରାଜି ହୋଇଛନ୍ତି । ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ୟୁରୋପର ସମସ୍ତ ସୀମା ବନ୍ଦ ରହିବ । କୌଣସ ଅଣ ୟୁରୋପୀୟ ନାଗରିକ ତଥା ବିଦେଶ ନାଗରିକଙ୍କ ଯୁରୋପ ଗସ୍ତକୁ ବାତିଲ କରାଯାଇଛି । ଅନେକ ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ର କର୍ଫ୍ୟୁ ଜାରି କରିଛନ୍ତି ଏବଂ ସହର, ବଜାର ବନ୍ଦ ରଖିଛନ୍ତି । ୩୦ ରୁ ଅଧିକ ସହର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବାରୁ ବଡ଼ ସଙ୍କଟ ଉପୁଜିଛି ।
ଫିଲିପାଇନ୍ସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଫିଲିପାଇନ୍ସ ୬ ମାସ ପାଇଁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିଛି । ଆମେରିକାରେ କରୋନା ଯୋଗୁଁ ୧୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬,୫୦୯ ଜଣ ଭାଇରସ ଆକ୍ରାନ୍ତ ହୋଇଛନ୍ତି । ବ୍ରିଟେନ ସରକାରଙ୍କ କରୋନା ଭାଇରସ ପରାମର୍ଶଦାତା ମଧ୍ୟ ଭାଇରସ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ସେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସଂସ୍ପର୍ଶରେ ଆସିଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା-କାନାଡା ସୀମା ବନ୍ଦ ଘୋଷଣା କରିଛନ୍ତି । ପାକିସ୍ତାନରେ କରୋନା ଆକ୍ରାଙ୍କ ସଂଖ୍ୟା ୨୫୦ କୁ ବୃଦ୍ଧି ପାଇଝି । ୟୁରୋପୀୟ ରାଷ୍ଟ୍ର ବେଲଜିୟମରେ ବି ଲକଡାଉନ ଘୋଷଣା ହୋଇଛି । ଅନ୍ୟ ପକ୍ଷରେ ସିଙ୍ଗାପୁର, ତାଇୱାନ ଏବଂ ହଂକଂରେ ପୁଣି ଅଧିକ କରୋନା ମାମଲା ସାମ୍ନାକୁ ଆସିଛି ।