ଏଥର ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ, ୨୬ରେ ନବୀନ କରିବେ ନୂଆ ଘୋଷଣା
ଏଥର ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ, ୨୬ରେ ନବୀନ କରିବେ ନୂଆ ଘୋଷଣା
admin
Dec 20, 2019 - 06:54
Updated: Dec 20, 2019 - 06:54
ଭୁବନେଶ୍ୱର - ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ ପାଳିବ ୨୩ ତମ ପ୍ରତିଷ୍ଠା ଦିବସ । ସେବା ଭାବନା ନେଇ ପୁଣି ଥରେ ଉତ୍ସର୍ଗୀକୃତ ଭାବେ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏ ନେଇ ବିଜେଡିର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି ଓ ପ୍ରମୁଖ ଦଳୀୟ ସଂଗଠନମାନଙ୍କର ରାଜ୍ୟ ସଭାପତିମାନଙ୍କୁ ଶ୍ରୀ ପଟ୍ଟନାୟକ ଚିଠି ଲେଖିଛନ୍ତି । ପ୍ରତିଷ୍ଠା ଦିବସରେ ସଭାପତି କିଛି ନୂଆ ଘୋଷଣା କରିପାରନ୍ତି । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏ ନେଇ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି ।
ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ, ଆସନ୍ତା ୨୬ ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହାସହିତ ସମସ୍ତ ଜିଲ୍ଲା ଓ ନିର୍ବାଚନମଣ୍ଡଳୀରେ ମଧ୍ୟ ପାଳନ କରାଯିବ । ବିଜେଡି ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ନିଷ୍ଠାପର ଉଦ୍ୟମ ଜାରି ରଖିଛି । ଗାଁ ଗହଳି, ସହର, ବସ୍ତିରେ ଥିବା ଅଗଣିତ କର୍ମୀଙ୍କର ନିଷ୍ଠା ଓ ପରିଶ୍ରମ ଦଳକୁ ଜନସାଧାରଣଙ୍କ ନିକଟତର କରିଛି । ଯଦ୍ୱାରା ଲଗାତାର ପଞ୍ଚମ ଥର ପାଇଁ ବିଜେଡିକୁ ରାଜ୍ୟବାସୀ ଆଶୀର୍ବାଦ ଦେଇ ଆସିଛନ୍ତି ।
ପ୍ରାକୃତିକ ଦୁର୍ବିପାକ ମୁକାବିଲା ହେଉ କି ବସ୍ତିବାସିନ୍ଦାଙ୍କୁ ଅଧିକାର ପ୍ରଦାନ କାର୍ଯ୍ୟକ୍ରମ । ଏସବୁଥିରେ ସରକାରଙ୍କୁ ଆନ୍ତର୍ଜାତିକ ପ୍ରଶଂସା ଓ ସ୍ୱୀକୃତି ମିଳିଛି । ଦାରିଦ୍ର୍ୟ ଦୂରୀକରଣ, ମହିଳା ଓ ଯୁବକଙ୍କୁ ସଶକ୍ତୀକରଣ, ଭିତ୍ତିଭୂମି ବିକାଶ, ଖାଦ୍ୟ ନିରାପତ୍ତା ଓ ସାମାଜିକ ନିରାପତ୍ତା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କାର୍ଯ୍ୟକ୍ରମଗୁଡ଼ିକ ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହାଇଛି । ମହାନଦୀ ଓ ପାଲାଭରମ ପାଇଁ ନ୍ୟାୟିକ ଲଢେ଼ଇ ଜାରି ରହିଛି । ଜନସାଧାରଣଙ୍କୁ ସ୍ୱଚ୍ଛ ପ୍ରଶାସନ ଦେବା ପାଇଁ ୫ ‘ଟି' ଓ "ମୋ ସରକାର' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବିଜୁ ଜନତା ଦଳ ହେଉଛି ଏକ ମାତ୍ର ରାଜନୈତିକ ଦଳ, ଯାହାର ସାମାଜିକ ପ୍ରତିବଦ୍ଧତା "ଜୀବନ ବିନ୍ଦୁ' ଓ ଓଡ଼ିଶା-"ମୋ ପରିବାର' କାର୍ଯ୍ୟକ୍ରମମାନଙ୍କରେ ପ୍ରତିଫଳିତ ହେଉଛି ବୋଲି ସଭାପତି ଦର୍ଶାଇଥିବା ଶ୍ରୀ ମିଶ୍ର କହିଥିଲେ ।
ପ୍ରତିଷ୍ଠା ଦିବସଠାରୁ ବର୍ଷତମାମ ଦଳର ସାଂଗଠନିକ କାର୍ଯ୍ୟକ୍ରମ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିବ । ଦଳ ପାଇଁ ସକ୍ରିୟ ଭାବେ କାମ କରିବା ସହ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଜଡ଼ିତ ରହି ୱାଡର଼୍ ସ୍ତରରେ ଜନସାଧାରଣଙ୍କୁ ସଦସ୍ୟ ଅଭିଯାନରେ ସଂଶ୍ଲିଷ୍ଟ କରିବା ନେଇ ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ବିଳନୀରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଓ ସାଧାରଣ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।