ଏମସରେ ଭର୍ତ୍ତି ହେଲେ ବିଜେପିର ବରିଷ୍ଠ ନେତା ବିଷ୍ଣୁ ଚରଣ ସେଠୀ
ଏମସରେ ଭର୍ତ୍ତି ହେଲେ ବିଜେପିର ବରିଷ୍ଠ ନେତା ବିଷ୍ଣୁ ଚରଣ ସେଠୀ
ଭୁବନେଶ୍ୱର : ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ହଠାତ ଅସୁସ୍ଥ ଅନୁଭବ କରିବାରୁ ଏମସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତ ହୋଇଥିବା ଶ୍ରୀ ସେଠୀ ଗତକାଲି ଦିନ ୧୦ଟାରେ ଏମସରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ପ୍ରାଇଭେଟ ଜେ ୱାର୍ଡ, କ୍ୟାବିନ-୪ରେ ରଖି ଚିକତ୍ସା କରାଯାଉଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଏମସ କର୍ତ୍ତୃପକ୍ଷ କହିଛନ୍ତି । ଏମସ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ଶ୍ରୀ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । କିନ୍ତୁ ଡାଏବେଟିସ୍ ଏବଂ କିଡନିରେ ସାମାନ୍ୟ ସଂକ୍ରମଣ ଥିବାରୁ ତାଙ୍କର ବିଭିନ୍ନ ପ୍ରକାରର ଟେଷ୍ଟ କରାଯାଉଛି । ଟେଷ୍ଟ ରିପୋର୍ଟ ଆସିବା ପରେ ସେହି ଅନୁଯାୟୀ ଡାକ୍ତରୀ ଟିମ ଗଠନ କରି ଅଧିକ ଚିକିତ୍ସା ଯୋଗାଇ ଦିଆଯିବ । ଶ୍ରୀ ସେଠୀ ଏମସରେ ଭର୍ତ୍ତି ହେବା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ସେଠୀ ୨୦୧୯ରେ ଧାମନଗରରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଛନ୍ତି । ଏହା ପୂର୍ବରୁ ସେ ୨୦୦୦ ମସିହାରେ ଚାନ୍ଦବାଲିରୁ ବିଧାୟକ ହୋଇଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନାରେ ଆକ୍ରାନ୍ତ ହୋଇ ଏମସରେ ଚିକିତ୍ସାଧୀନ ଅଛନ୍ତି । ସେ ଏବେ ସୁସ୍ଥ ଥିଲେ ହେଁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଡିସଚାର୍ଜ କରାଯିବ ବୋଲି ଏମସ କର୍ତ୍ତୃପକ୍ଷ କହିଛନ୍ତି ।