ଓଡିଶା ପାଇଁ ଏମିତି ଦାବି କଲେ ନବୀନ

ଓଡିଶା ପାଇଁ ଏମିତି ଦାବି କଲେ ନବୀନ

ଓଡିଶା ପାଇଁ ଏମିତି ଦାବି କଲେ ନବୀନ

ଭୁବନେଶ୍ୱର: ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବାକୁ ଆନୁଷ୍ଠାନିକ ଆମନ୍ତ୍ରଣ କରିଛନ୍ତି । ଏହି ଅବସରରେ ବାରମ୍ବାର ପ୍ରାକୃତିକ ବିପର୍ୟ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉପସ୍ଥାପିତ ହୋଇଛି ।
ନିତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ ବେରୀ ଓ ସଦସ୍ୟ ଡଃ ବି କେ ପଲଙ୍କ ସହ ନିତି ଆୟୋଗର ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରସ୍ଥିତ ୱାଲର୍ଡ ସ୍କିଲ ସେଂଟର, ମହିଳା ଏସଏଚଜିଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପିପିଲିଠାରେ ଥିବା ୱେଲନେସ୍ ସେଂଟର, ଫାଇଭ-ଟିରେ ରୂପାନ୍ତରିତ ହାଇସ୍କୁଲ ଓ ଓଡ଼ିଶା କ୍ରାଫ୍ଟ ମ୍ୟୁଜିୟମ ‘କଳାଭୂମି’ ବୁଲି ଦେଖିଥିଲେ । ଏହାସହିତ ଲୋକସେବା ଭବନର କନଭେନସନ ସେଂଟରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ବିଭିନ୍ନ ବିଭାଗର ସଚିବମାନଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପାୱାର ପଏଂଟ ପ୍ରେଜେଣ୍ଟେସନ ଦିଆଯାଇଥିଲା । ପଂଚାୟତିରାଜ, ପାନୀୟ ଜଳ ସଚିବ ଏ କେ ମୀନା ଓ ଅର୍ଥ ବିଭାଗର ସଚିବ ବିଶାଳ ଦେବ ରାଜ୍ୟରେ କାର୍ୟ୍ୟକାରୀ ହେଉଥିବା ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ ।
ନିତି ଆୟୋଗ ଉପାଧ୍ୟକ୍ଷ ଓ ସଦସ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ୟ୍ୟକାରୀ ହେଉଥିବା କାର୍ୟ୍ୟର ସଫଳତାକୁ ମଧ୍ୟ ପ୍ରଶଂସା କରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ଦର୍ଶାଯାଇଛି । ସନ୍ଧ୍ୟାରେ ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓ ସଦସ୍ୟ ଶ୍ରୀ ପଲ୍ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆସନ୍ତା ୭ତାରିଖରେ ଦିଲ୍ଲୀରେ ହେବାକୁ ଥିବା ନିତି ଆୟୋଗ ପରିଚାଳନା ପରିଷଦ ବୈଠକକୁ ଆମନ୍ତ୍ରଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟରେ ରେଳବାଇ, ଟେଲିକମ୍ ଓ ବ୍ୟାଙ୍କିଂ ଭିତ୍ତିଭୂମିକୁ ନେଇ ଦୀର୍ଘଦିନର ଦାବି ସମ୍ପର୍କରେ ସମ୍ୟକ ଦାବି ଉପସ୍ଥାପନ କରିଥିଲେ । ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିସ୍ତୃତ ଦାବି ରଖାଯିବ ବୋଲି ସେ କହିଥିଲେ । ଏହାସହିତ ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ୟ୍ୟୟର ସମ୍ମୁଖୀନ ହେଉଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଓଡ଼ିଶାକୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି ଉପସ୍ଥାପନ କରିଥିଲେ ।