ଓଡ଼ିଶା ବିରୋଧରେ ଆଉ ଏକ ଷଡ଼ଯନ୍ତ୍ର : ଭୁବନେଶ୍ୱରରୁ ପାଟନାକୁ ଉଠିଯିବ ପଣ୍ୟାଗାର ନିଗମର ଆଞ୍ଚଳିକ କାର୍ଯ୍ୟାଳୟ
ଓଡ଼ିଶା ବିରୋଧରେ ଆଉ ଏକ ଷଡ଼ଯନ୍ତ୍ର : ଭୁବନେଶ୍ୱରରୁ ପାଟନାକୁ ଉଠିଯିବ ପଣ୍ୟାଗାର ନିଗମର ଆଞ୍ଚଳିକ କାର୍ଯ୍ୟାଳୟ
admin
Aug 2, 2019 - 06:10
Updated: Aug 2, 2019 - 06:10
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଞ୍ଚଳିକ କାର୍ଯ୍ୟାଳୟକୁ ପାଟନାକୁ ଉଠାଇ ଦିଆଯିବ । ପାଟନା କାର୍ଯ୍ୟାଳୟ ସହିତ ଏହାର ମିଶ୍ରଣ ହେବ । କେନ୍ଦ୍ର ସରକାର ଏଭଳି ଏକ ବିବାଦୀୟ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରର ଏହି ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବା ଲାଗି ଦାବି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରୀୟ ପଣ୍ୟାଗାର ନିଗମର ଭୁବନେଶ୍ୱର ଏବଂ ପାଟନାରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟର ମିଶ୍ରଣ ପାଇଁ ଗତ ୨୬ ତାରିଖରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମିଶ୍ରଣ ପରେ ଭୁବନେଶ୍ୱରରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ପାଟନାକୁ ଉଠିଯିବ ଏବଂ ଏହା ଗୋଟିଏ ପ୍ରତିଷ୍ଠାନ ରୂପେ କାର୍ଯ୍ୟ କରିବ । ଏହା ପାଟନା ଆଞ୍ଚଳିକ ପଣ୍ୟାଗାର ରୂପେ ନାମିତ ହେବ । ମୁଖ୍ୟ କାର୍ଯ୍ୟାଳୟ ପାଟନାରେ ରହିବ ଏବଂ ଏହା ଅଧୀନରେ ଓଡ଼ିଶା ମଧ୍ୟ ରହିବ । କେବଳ ଏତିକି ନୁହେଁ ଭୁବନେଶ୍ୱରରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟର କୋଠାକୁ ମଧ୍ୟ ଭଡ଼ାରେ ଦିଆଯିବା ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ଆସନ୍ତା ୧୫ ତାରିଖରୁ କାର୍ଯ୍ୟକାରୀ ହେବ ।
କେନ୍ଦ୍ରର ଏହି ନିଷ୍ପତ୍ତି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନିଷ୍ପତ୍ତି ଯୋଗୁଁ କେବଳ ଭୁବନେଶ୍ୱର କାର୍ଯ୍ୟାଳୟ ଯେ ପାଟନାକୁ ଉଠିଯିବ ତାହା ନୁହେଁ, ଓଡ଼ିଶାରେ ଲାଭରେ ଚାଲିଥିବା ପଣ୍ୟାଗାର ଅନିଶ୍ଚିତତା ଭିତରକୁ ଠେଲି ହୋଇଯିବ । କାରଣ ପାଟନା ଅଞ୍ଚଳରେ ନିଗମ ବିପୁଳ କ୍ଷତିରେ ଚାଲୁଛି ।
ସୂଚନାଯୋଗ୍ୟ ଯେ ୧୯୯୦ ରେ ପାଟନା ଏବଂ ଭୁବନେଶ୍ୱରରେ ଆଞ୍ଚଳିକ ପଣ୍ୟାଗାର ପ୍ରତିଷ୍ଠା ହୋଇଥିଲା । ସେତେବେଳେ ଓଡ଼ିଶାରେ ୮ଟି ପଣ୍ୟାଗାର ଥିଲା । ୨୮ ବର୍ଷ ଭିତରେ ଏହା ଲାଭ ଅର୍ଜନ କରିବାରେ ଲାଗିଛି । ଫଳରେ ଏହା ୧୫ଟି ଜିଲ୍ଲାକୁ ସମ୍ପ୍ରସାରିତ ହୋଇ ୨୧ଟି ପଣ୍ୟାଗାର ପ୍ରତିଷ୍ଠା ହୋଇପାରିଛି । ଏଥିରେ ୧୪୦ ଜଣ କର୍ମଚାରୀ ଅଛନ୍ତି । ୩୫୦ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଓଡ଼ିଶାରେ ପଣ୍ୟାଗାର ଲାଭରେ ଚାଲିଛି । ଅନ୍ୟ ପକ୍ଷରେ ପାଟନାରେ ଥିବା ୧୯ଟି ପଣ୍ୟାଗାର ଥିଲା ଏବେ ବି ସେହି ୧୯ରେ ରହିଛି । କ୍ଷତିରେ ଚାଲିଥିବା ପାଟନା ପଣ୍ୟାଗାରରେ ମାତ୍ର ୭୦ ଜଣ କର୍ମଚାରୀ ଅଛନ୍ତି । ୧.୭୦ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏହି ପଣ୍ୟାଗାର ୨୮ ବର୍ଷ ଧରି ଉଧେଇ ପାରୁନି ।
ଏଭଳି ପରିସ୍ଥିତିରେ ସରକାର କେଉଁ ନ୍ୟାୟରେ ଭୁବନେଶ୍ୱର ପଣ୍ୟାଗାରକୁ ପାଟନା ପଣ୍ୟାଗାର ସହିତ ମିଶାଇବାକୁ ନିଷ୍ପତ୍ତି ନେଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଲାଣି । ଯଦି କୌଣସି କାରଣରୁ ଏହି ଦୁଇଟି କାର୍ଯ୍ୟାଳୟକୁ ଏକାଠି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଲେ ତାହା ହେଲେ ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ନ ହେବ କାହିଁକି?
କେନ୍ଦ୍ରର ଏଭଳି ଷଡଯନ୍ତ୍ର ଯୋଗୁଁ ଓଡ଼ିଶାରେ ଥିବା ପଣ୍ୟାଗାର ବେପାର ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ନିଗମର କର୍ମଚାରୀ ସଂଘ ମଧ୍ୟ ଏହାର ବିରୋଧ କରିଛନ୍ତି । ସରକାର ତୁରନ୍ତ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଲାଗି ଦାବି ହେଉଛି ।