କଇଁଛଙ୍କ ଶ୍ମଶାନସ୍ଥଳୀ ପାଲଟିଛି କେନ୍ଦ୍ରାପଡ଼ାର ମାଦିଲି ଦ୍ୱୀପ
କଇଁଛଙ୍କ ଶ୍ମଶାନସ୍ଥଳୀ ପାଲଟିଛି କେନ୍ଦ୍ରାପଡ଼ାର ମାଦିଲି ଦ୍ୱୀପ
admin
Jan 12, 2020 - 04:41
Updated: Jan 12, 2020 - 04:41
କେନ୍ଦ୍ରାପଡ଼ା - କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ଅଧୀନ ଐତିହାସିକ ବାଣିଜ୍ୟ କେନ୍ଦ୍ର ହୁଟିଟେଲା ନିକଟ ମାଦିଲି ଦ୍ୱୀପ ଏବେ ବିରଳ ଅଲିଭରିଡଲେ କଇଁଛଙ୍କ ଶ୍ମଶାନସ୍ଥଳୀ ପାଲଟିଛି। ବରୁଣେଇ ମୁହାଣ ନିକଟରେ ଅବସ୍ଥିତ ଏହି ଦ୍ୱୀପରେ ଶହ ଶହ ବିରଳ କଇଁଛଙ୍କ ମୃତଦେହ ଦେଖିବାକୁ ମିଳିଛି। ଗହିରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଅଣ୍ଡାଦେବାକୁ ଆସୁଥିବା ଏହି କଇଁଛମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ମେରାଇନ ଫିିସିଂ ରେଗୁଲେସନ ଆକ୍ଟ ଲାଗୁ କରାଯାଇ ନଭେମ୍ବର ୧ରୁ ମେ ୩୧ଯାଏଁ ଦୀର୍ଘ ୭ମାସ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଏଥିପାଇଁ ବନବିଭାଗ, ମତ୍ସ୍ୟବିଭାଗ ଓ ତଟରକ୍ଷୀ ବାହିନୀଙ୍କ ହାତରେ କଇଁଛଙ୍କ ସୁରକ୍ଷା ପ୍ରଦାନ କରାଯାଇଥିବାବେଳେ ବାସ୍ତବରେ ଏତେ ସଂଖ୍ୟକ କଇଁଛଙ୍କ ଏଠାରେ ମୃତ୍ୟୁକୁ ନେଇ ଏହି ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗହିରମଥାକୁ ଛାଡ଼ିଲେ ବରୁଣେଇ ମୁହାଣ ଅଲିଭରିଡଲେଙ୍କ ଦ୍ୱିତୀୟ ଗଣ ଅଣ୍ଡାଦାନ ସ୍ଥଳ ହୋଇଥିବାବେଳେ ଏହାର ଅନତିଦୂରରେ ଥିବା ମାଦିଲି ଦ୍ୱୀପ ବିଶେଷ ଗୁରୁତ୍ୱ ବହନ କରିଥାଏ। ପୂର୍ବରୁ ଏହି ଦ୍ୱୀପ ହେନ୍ତାଳ ବଣରେ ପରିପୂର୍ଣ୍ଣ ଥିବା ବେଳେ ବେଳଭୂମି କ୍ଷୟ ଓ ଅବାଧ ଗଛକଟା ଯୋଗୁ ଏହା ଏବେ ସଂପୂର୍ଣ୍ଣ ଭାବରେ ବୃକ୍ଷଶୂନ୍ୟ ହୋଇପଡ଼ିଛି। ତେବେ ଏକପକ୍ଷରେ ମହାନଦୀ ମୁହାଣ ଓ ଅନ୍ୟପକ୍ଷରେ ବଂଗୋପସାଗର ମଧ୍ୟରେ ଥିବା ଏହି ଦ୍ୱୀପଟି ଶହ ଶହ ମାଛଧରା ବୋଟ୍ ଓ ଟ୍ରଲରମାନଙ୍କ ପାଇଁ ଏବେ ଅଘୋଷିତ ମାଛଧରା ବନ୍ଦର ପାଲଟିଛି।
ବଡ଼ ବଡ଼ ଟ୍ରଲର ସହ ମାଛଧରା ବୋଟ୍ ସମୁଦ୍ରରୁ ମାଛଧରି ଏଠାକୁ ଫେରୁଥିବା ଦେଖିିବାକୁ ମିଳିଛି। ତେବେ ମିଳନ ଓ ପ୍ରଜନନ ପାଇଁ ଆସୁଥିବା ବିରଳ ଅଲିଭରିଡଲେ କଇଁଛ ମାଛଧରା ବୋଟ୍ ଓ ଟ୍ରଲରରେ ମାଡ଼ ହୋଇ ତଥା ଜାଲରେ ଲାଗି ମୃତ୍ୟୁବରଣ କରିବା ପରେ ସେଗୁଡ଼ିକୁ ଏଠାରେ ଏଣେ ତେଣେ ଫୋପାଡ଼ି ଦିଆଯାଉଛିି। ମତ୍ସ୍ୟଜୀବୀଙ୍କ ବ୍ୟତୀତ ଏଠାକୁ ବାହାରର ବ୍ୟକ୍ତିମାନେ ଯାଉନଥିବାରୁ ବନବିଭାଗର ଏଥିପାଇଁ ସାମାନ୍ୟ ଚିନ୍ତା ବି ନାହିଁ।