କରୋନାର ଦ୍ୱିତୀୟ ଲହର ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି : ବ୍ଲାକ ଫଙ୍ଗସ ପରେ ଏବେ ‘ବୋନ ଡେଥ’
କରୋନାର ଦ୍ୱିତୀୟ ଲହର ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି : ବ୍ଲାକ ଫଙ୍ଗସ ପରେ ଏବେ ‘ବୋନ ଡେଥ’
ନୂଆଦିଲ୍ଲୀ: କରେନାର ଦ୍ୱିତୀୟ ଲହର ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି । କରୋନାରୁ ସୁସ୍ଥ ହୋଇଥିଲେ ସୁଦ୍ଧା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜଟିଳତା ଶରୀରକୁ ଅତିମାତ୍ରାରେ ରୁଗଣ କରିଦେଉଛି । କରୋନା ପରେ ବ୍ଲାକ ଫଙ୍ଗସ, ମଧୁମେହ, ରକ୍ତ ଜମାଟ ବାନ୍ଧିବା, ଶ୍ୱାସକ୍ରିୟାରେ ସମସ୍ୟା ପରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । କିନ୍ତୁ ଚିକିତ୍ସକମାନଙ୍କ ପାଇଁ ଏବେ ଏକ ନୂଆ ଚିନ୍ତାର କାରଣ ହୋଇଛି ‘ବୋନ ଡେଥ’ । ଏହି କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟ ଜଟିଳତା ଏକ ନୂଆ ଚ୍ୟାଲେଂଜ ସୃଷ୍ଟି କରିଛି । ରିପୋର୍ଟ ଅନୁଯାୟୀ ମୁମ୍ବାଇ ହସ୍ପିଟାଲର ଡାକ୍ତରମାନେ କିଛି ଏଭିଏନ (ଆଭାସ୍କୁଲାର ନେକ୍ରୋସିସ) ମାମଲା ଚିହ୍ନଟ କରିଛନ୍ତି । ଏଭିଏନକୁ ‘ବୋନ ଡେଥ’ କୁହାଯାଏ । ଗତ କିଛି ମାସ ଧରି କରୋନାରୁ ସୁସ୍ଥ ହୋଇଥିବା କିଛି ରୋଗୀ ଏହି ‘ବୋନ ଡେଥ’ର ଶିକାର ହୋଇଛନ୍ତି ବୋଲି ଡାକ୍ତର କହିଛନ୍ତି । ଏନେଇ ୩ଟି ମାମଲା ସ୍ପଷ୍ଟ ହୋଇଛି । ସମସ୍ତଙ୍କ ବୟସ ୪୦ ତଳେ । ଜଙ୍ଘ ହାଡ଼ରେ ପ୍ରବଳ ଯନ୍ତ୍ରଣା ହେବାପରେ ସେମାନେ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ । ତେବେ ଜଣାପଡ଼ିଥିଲା ଯେ, ସେମାନେ ‘ବୋନ୍ ଡେଥ’ର ଶିକାର ହୋଇଛନ୍ତି । ଏଭିଏନ ତଥା ବୋନ ଡେଥ ଦ୍ୱାରା ଅସ୍ଥି କୋଷ ଗୁଡ଼ିକ ନଷ୍ଟ ହୋଇଯାଉଛି । ଅସ୍ଥିକୁ ରକ୍ତ ଯୋଗାଣ ବନ୍ଦ ହୋଇଯିବା ଦ୍ୱାରା ଏହି ରୋଗ ଦେଖାଦେଉଛି । ରକ୍ତ ଯୋଗାଣରେ ବାଧା ଉପୁଯିବାରୁ ଏହା ଅସ୍ଥି ତନ୍ତୁକୁ ନଷ୍ଟ କରିଦେଉଛି ଫଳରେ ନେକ୍ରୋସିସର କାରଣ ହେଉଛି । ଶରୀରର ଯେକୌଣସି ଅସ୍ଥିରେ ନେକ୍ରୋସିସ ହୋଇପାରେ । ଏହି ରୋଗର ପ୍ରାଥମିକ ଲକ୍ଷଣଗୁଡ଼ିକ ମୁଖ୍ୟତଃ ଲକ୍ଷଣବିହୀନ । ପ୍ରଭାବିତ ଖଞ୍ଜାଗୁଡ଼ିକ ଉପରେ ବେଶୀ ଚାପ ପଡ଼ିଲେ ସାଂଘାତିକ ଯନ୍ତ୍ରଣା ହେବ । ତେବେ ଆଭାସ୍କୁଲାର ନେକ୍ରୋସିସ ଅତି ସାଂଘାତିକ ସ୍ଥିତି ସୃଷ୍ଟି କରୁଛି । ଅସ୍ଥିଗୁଡ଼ିକ ସଠିକ ଭାବେ କାର୍ଯ୍ୟ ନକରିବାଦ୍ୱାରା ଶରୀରର ବିଭିନ୍ନ ଖଞ୍ଜା ନଷ୍ଟ ହୋଇଯାଏ । ଏନେଇ ଅଧିକ ଅଧ୍ୟୟନ ଜାରି ରହିଛି । ତେବେ କରୋନାରୁ ସୁସ୍ଥ ହେବାପରେ ବୋନ ଡେଥର ଏକ ପ୍ରମୁଖ କାରଣ ହେଉଛି ଷ୍ଟେରଏଡ । ଅତ୍ୟଧିକ ଷ୍ଟେରଏଡ ବ୍ୟବହାର ଏହି ବୋନ ଡେଥର କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି । କରୋନାରୁ ସୁସ୍ଥ ହେବାପରେ ଯେଉଁମାନଙ୍କର ଜଙ୍ଘ ଏବଂ ଅଣ୍ଟାରେ ସାଂଘାତିକ ଯନ୍ତ୍ରଣା ହେଉଛି ସେମାନେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ସହ ଏମଆରଆଇ କରିନେବା ଉଚିତ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।