କୃଷି ଆଇନ୍‍ ବିରୋଧରୁ ନଜର ହଟାଇବାକୁ ବିଜେପିର ଘେରାଉ ଡାକରା: ବିଜେଡି

କୃଷି ଆଇନ୍‍ ବିରୋଧରୁ ନଜର ହଟାଇବାକୁ ବିଜେପିର ଘେରାଉ ଡାକରା: ବିଜେଡି

କୃଷି ଆଇନ୍‍ ବିରୋଧରୁ ନଜର ହଟାଇବାକୁ ବିଜେପିର ଘେରାଉ ଡାକରା: ବିଜେଡି
ଭୁବନେଶ୍ୱର : କେନ୍ଦ୍ରର କୃଷି ଆଇନ୍‍କୁ ହେଉଥିବା ଦେଶବ୍ୟାପି ବିରୋଧରୁ ନଜର ହଟାଇବା ପାଇଁ ରାଜ୍ୟ ବିଜେପି ଏବେ ଧାନ ସଂଗ୍ରହର ଆଳ ଦେଖାଇ ଆରଡିସି ଅଫିସ୍‍ ଘେରିବାକୁ ଉଦ୍ୟମ ଚଳାଇଛନ୍ତି । ବିଜେପିର ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ଦେବ କହିଛନ୍ତି ଯେ, କେନ୍ଦ୍ରର କୃଷି ଆଇନ୍‍କୁ ଏବେ ସାରା ଦେଶରେ ବିରୋଧ ବଢିବାରେ ଲାଗିଛି । ଓଡିଶାର କୃଷକମାନେ ଦିଲ୍ଲୀ ଯାଇ ସେଠାରେ ବିରୋଧ କରୁଛନ୍ତି । ରାଜ୍ୟସଭାରେ ଧ୍ୱନି ମତରେ ବିଲ୍‍ ପାସ୍ କରାଇ କେନ୍ଦ୍ର ସରକାର ଅଡୁଆରେ ପଡିଥିବାବେଳେ ସେଥିରୁ ନଜର ହଟାଇବା ପାଇଁ ଏବେ ଷଡଯନ୍ତ୍ର ଆରମ୍ଭ ହୋଇଛି । ଏହାର ଫଳ ସ୍ୱରୂପ ରାଜ୍ୟ ବିଜେପି ଏବେ ଧାନ ସଂଗ୍ରହକୁ ଆଳ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହିତ ଆରଡିସି ଅଫିସ ଘେରାଉ ଘୋଷଣା କରିଛି । ଶ୍ରୀ ଦେବ କହିଛନ୍ତି ଯେ, ରାଜ୍ୟ ସରକାର ୨୦୦୩-୦୪ ବେଳକୁ ୧୦ରୁ ୧୧ଲକ୍ଷ ମେଟି୍ରକ୍ ଟନ୍‍ ଧାନ ସଂଗ୍ରହ କରୁଥିବାବେଳେ ଏବେ ୬୫ରୁ ୭୦ଲକ୍ଷ ମେଟି୍ରକ୍ ଟନ୍‍ ଧାନ ସଂଗ୍ରହ କରୁଛନ୍ତି । ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୨୫ରୁ ୨୬ଲକ୍ଷ ମେଟି୍ରକ୍ ଟନ୍‍ ଚାଉଳ ଆବଶ୍ୟକ ପଡୁଛି । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଯେତିକି ଧାନ ସଂଗ୍ରହ ହୋଇଛି ତାହା ଗତବର୍ଷର ଏହି ସମୟ ତୁଳନାରେ ୨୫ ପ୍ରତିଶତ ଅଧିକ ରହିଛି ଓ ସମଗ୍ର ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ଅଛି । ତେଣୁ ସରକାର ଧାନ ଉଠାଉ ନାହାନ୍ତି ବୋଲି ବିଜେପି ଯେଉଁ ଅଭିଯୋଗ କରୁଛି ସେଥିରେ କୌଣସି ସତ୍ୟତା ନାହିଁ । ବରଂ ରାଜ୍ୟ ସରକାର ଧାନ ସଂଗ୍ରହ କ୍ଷେତ୍ରରେ ଟୋକନ ବ୍ୟବସ୍ଥା ଦ୍ୱାରା ଯେଉଁ ସ୍ୱଚ୍ଛତା ନୀତି ଆପଣେଇଛନ୍ତି ତାହା ଦ୍ୱାରା ମଧ୍ୟସ୍ଥି ବ୍ୟବସ୍ଥାର ପରିସମାପ୍ତି ଘଟିଛି । ବିଜେଡି ମୁଖପାତ୍ର ଶ୍ରୀ ଦେବ କହିଛନ୍ତି ଯେ, ଏକ ରାଜନୈତିକ ଚିନ୍ତାଧାରାରେ ସରକାରଙ୍କୁ କାଠଗଡାରେ ଛିଡା କରାଇବା ପାଇଁ ବିଜେପି ସବୁବେଳେ ଉଦ୍ୟମ କରୁଛି । ଯଦି କୃଷି ଆଇନ୍‍କୁ ଚାଷୀ ବୁଝିପାରୁ ନାହାନ୍ତି ତେବେ ଭାରତ ସରକାର ତାଙ୍କୁ ବୁଝାନ୍ତୁ । ହେଲେ ତାହା ନକରି ରାଜ୍ୟ ସରକାର ଏୟା କଲେ ସେୟା କଲେ ବୋଲି ବିଜେପି ନେତାମାନେ କହି ବୁଲୁଛନ୍ତି । ଓଡିଶାରେ ଚାଷୀଙ୍କ ଠାରୁ ସରକାର ସୁରୁଖୁରୁରେ ଧାନ ସଂଗ୍ରହ କରୁଥିବାବେଳେ ଏହାକୁ ବିରୋଧ ନକରି ବରଂ କେନ୍ଦ୍ରର କୃଷି ଆଇନ୍‍ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇବା ପାଇଁ ଶ୍ରୀ ଦେବ ପରାମର୍ଶ ଦେଇଛନ୍ତି ।