କେରଳରେ ପ୍ରବଳ ବର୍ଷା, ୯ ମୃତ
କେରଳରେ ପ୍ରବଳ ବର୍ଷା, ୯ ମୃତ
ଥିରୁବନନ୍ତପୁରମ: କେରଳରେ ପ୍ରବଳ ବର୍ଷା ଯୋଗୁଁ ୯ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଏବେବି ନିଖୋଜ ଅଛନ୍ତି। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ସହ କୋଟାୟମ ଏବଂ ଇଡୁକି ଜିଲ୍ଲାର ୪ଟି ସ୍ଥାନରେ ଭୂସ୍ଖଳନ ହୋଇଛି। ଭୂସ୍ଖଳନ ଯୋଗୁଁ କୋଟ୍ଟାୟମର କୁଟିକଲରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପାହାଡ଼ରୁ ବର୍ଷା ପାଣି ଓ ଆବର୍ଜନା ମାଡ଼ି ଆସିବାରୁ ଘର ପୋତି ହୋଇଯାଇଥିଲା। ଫଳରେ ଘର ଭିତରେ ଥିବା ବୁଢ଼ୀ ମା’ ସ୍ୱାମୀ, ସ୍ତ୍ରୀ ଓ ୪ ଛୁଆ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୩ଟି ଘର ଭାସିଯାଇଛି। ତେବେ ଉଦ୍ଧାର କାର୍ୟ୍ୟ ଲାଗି ରାଜ୍ୟ ସରକାର ଏନ୍ଡିଆର୍ଏଫ୍, ସ୍ଥଳସେନା ଓ ବାୟୁସେନାର ସାହାଯ୍ୟ ଲୋଡ଼ିଛନ୍ତି। ଅନେକ ସ୍ଥାନରେ ଘର ବୁଡ଼ି ଯାଇଛି। ଜଳ ସ୍ରୋତରେ କାର୍ ଭାସି ଯାଉଥିବା ଦେଖାଯାଇଛି।
ସୁଲୁରରେ ବାୟୁସେନା ମଧ୍ୟ ଉଦ୍ଧାର କାର୍ୟ୍ୟ କରିବା ଲାଗି ପ୍ରସ୍ତୁତ ହୋଇ ରହିଛି। ସ୍ଥଳସେନାର ଗୋଟିଏ ଟିମ୍ ଯବାନ କୋଟ୍ଟାୟମରେ ମଧ୍ୟ ଉଦ୍ଧାର କାର୍ୟ୍ୟ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ସେପଟେ କୋଚି ନାଭାଲ୍ ବେସ୍ରେ ନୌସେନା ଯବାନ ମଧ୍ୟ ଉଦ୍ଧାର କାର୍ୟ୍ୟରେ ସହଯୋଗ କରିବା ଲାଗି ମହଜୁଦ ଅଛନ୍ତି।
ବର୍ଷା ବିତ୍ପାତରେ ଅନେକ ଲୋକ ଆହତ ହୋଇଛନ୍ତି। ଦୁଇ ଦିନ ଧରି ବର୍ଷା ଯୋଗୁଁ କେରଳର ପ୍ରାୟ ସମସ୍ତ ଡ୍ୟାମରେ ପାଣି ଉପରକୁ ଉଠିଚି। ଡ୍ୟାମ୍ରେ ଜଳ ପତ୍ତନ ନିୟନ୍ତ୍ରଣରେ ରଖିବା ଲାଗି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ତଳିଆ ଅଞ୍ଚଳରେ ସ୍ଥିତି ଆହୁରି ସଂଗିନ ହେବ ବୋଲି ଅନୁମାନ କରାଯାଉଛି।