ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟ ୫-ଟି କାର୍ୟ୍ୟକ୍ରମ ଆଜି ଚାଷୀ ଓ ଜଳସଂପଦ ବିଭାଗକୁ ସିଧାସଳଖ ଯୋଡି ପାରିଛି। ଏହି ପରିପ୍ରେକ୍ଷୀରେ ମୋବାଇଲ ଫୋନ ସହାୟତାରେ ଚାଷିଙ୍କ ଜଳସେଚନ ସମସ୍ୟା ର ସମାଧାନ ହୋଇପାରିବ। ଏହି ସେବାରେ ମୋବାଇଲ ଫୋନରେ ଫଟୋ ଓ ଭିଡିଓ ଜରିଆରେ ଚାଷୀ ଜଳସେଚନ ସମସ୍ୟା ସଂପର୍କରେ ସିଧାସଳଖ ଜଳସଂପଦ ବିଭାଗକୁ ଜଣାଇପାରିବେ । ଏହି ନୂତନ ସେବାରେ ଏବେ ଚାଷୀକୁ ଜଳସେଚନ ସମସ୍ୟା ପାଇଁ କାମ ଛାଡି ଆଉ ଅଫିସକୁ ଦୌଡିବାକୁ ପଡିବ ନାହିଁ । ଘରେ ବସି ମୋବାଇଲ୍ ସାହାଯ୍ୟରେ ସବୁ ସମସ୍ୟାର ସମାଧାନ ହୋଇପାରିବ। ମୋବାଇଲ ଫଟୋରୁ ହିଁ ହେବ ସମସ୍ୟାର ସମାଧାନ। ଅନ୍‌ଲାଇନ ଅଭିଯୋଗ ପରିଚାଳନା ବ୍ୟବସ୍ଥା କରିବା ପାଇଁ “ସେଚ ସମାଧାନ” ଆଜି ଚାଷୀ ମାନଙ୍କ ପାଇଁ ଏହି ସୁଯୋଗ ଆଣିଛି। ତେବେ ଏହି “ସେଚ ସମାଧାନ” ସହିତ ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା, ଶିଳ୍ପସଂସ୍ଥା ମାନଙ୍କ ପାଇଁ ଜଳ ଆବଣ୍ଟନ ଆବେଦନ ପକ୍ରିୟା ଏବଂ ବ୍ୟବସାୟିକ ଓ ଅନ୍ୟ ସଂସ୍ଥା ପାଇଁ ଆବେଦନ ପୋର୍ଟାଲ ଏହିପରି ୪ଟି ଗୋଟି ଅନ୍‌ଲାଇନ ସେବା ବ୍ୟବସ୍ଥାର ଶୁଭାରମ୍ଭ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଚାଷୀମାନେ ହେଉଛନ୍ତି ଜଳସଂପଦ ବିଭାଗର ସର୍ବବୃହତ ହିତାଧିକାରୀ। ତେଣୁ ଏହି ଅନ୍‌ଲାଇନ ସେବା ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ଦିଗରେ ବିଶେଷ ସହାୟକ ହେବା ସହିତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ବାରା ବିଭାଗକୁ ଅଧିକ ଉତ୍ତରଦାୟୀ ଓ ସ୍ବଚ୍ଛ ସେବା ପ୍ରଦାନରେ ସହାୟକ ହେବ। ଏହାସହିତ ବିଜୁ କୃଷକ ଯୋଜନାର ଆବେଦନ ପ୍ରକ୍ରିୟାକୁ ମଂଜୁର କରିବାରେ ମଧ୍ୟ ସମୟୋଚିତ ପଦକ୍ଷେପ ନିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ପାଇଁ କରାଯାଇଥିବା ଅନ୍ ଲାଇନ ସେବା ମଧ୍ୟ ସେମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିବା ସହିତ ଲୋକଙ୍କୁ ନିଜ ଘର ପାଖରେ ସରକାରୀ ସେବା ଯୋଗାଇବା ପାଇଁ ଥିବା ଲକ୍ଷ୍ୟ ପୂରଣରେ ଏହା ସହାୟକ ହୋଇପାରିବ ବୋଲି କହିଛନ୍ତି । ଏହି ଅବସରରେ ଜଳସଂପଦ ବିଭାଗ ପକ୍ଷରୁ ଅନ୍ୟତମ ୫-ଟି ଲକ୍ଷ୍ୟ ଡିଜିଟାଲ ମଷ୍ଟର ରୋଲ୍‌ ପ୍ରସ୍ତୁତି କାର୍ୟ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ୟ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜଳସଂପଦ ତଥା ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହୁଛନ୍ତି ଯେ, ପ୍ରଶାସନ ଜଳସଂପଦ ବିଭାଗରେ ଡିଜିଟାଲ ଟେକ୍ନୋଲୋଜି ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ୫-ଟି ଲକ୍ଷ୍ୟ ପୂରଣ କରିବା ସହିତ ଚାଷୀ ମାନଙ୍କୁ ଉନ୍ନତ ସେବା ଯୋଗାଇଦେବ । ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ବିଭାଗର ପ୍ରମୁଖ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଲୋକାର୍ପିତ ହୋଇଥିବା ଅନ୍‌ ଲାଇନ ଅଭିଯୋଗ ପରିଚାଳନା ବ୍ୟବସ୍ଥା "ସେଚ ସମାଧାନ" ଏକ ଦ୍ବିଭାଷୀୟ ମୋବାଇଲ ଆପ୍‌ । ଏହି ପଦ୍ଧତିରେ ଚାଷୀ, ଜଳସଂପଦ ବିଭାଗ ଅଫିସକୁ ନ ଆସି ତାଙ୍କ ଅଭିଯୋଗ ଫଟୋ ବା ଭିଡିଓ ମୋବାଇଲ ଜରିଆରେ ପଠାଇବେ। ତାଙ୍କୁ ଅଭିଯୋଗର ସ୍ଥିତି ସଂପର୍କରେ ମେସେଜ୍ ଜରିଆରେ ସୂଚନା ଦିଆଯିବ ଏବଂ ସମସ୍ୟାର ସମାଧାନ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇପାରିବ। ସେହିପରି ବିଜୁ କୃଷକ ବିକାଶ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ହୋଇଥିବା ଅନ୍ ଲାଇନ୍ ଆବେଦନ ପ୍ରକ୍ରିୟା ଦ୍ବାରା ଚାଷୀମାନେ ସରକାରୀ ଅଫିନ ନ ଆସି, ନିଜ ମୋବାଇଲ ଫୋନ୍‌, କମ୍ପ୍ୟୁଟର କିମ୍ବା ଜନସେବା କେନ୍ଦ୍ରରୁ ଆବେଦନ କରିପାରିବେ। ଖାଲି ସେତିକି ନୁହେଁ, ଶିଳ୍ପ କ୍ଷେତ୍ରକୁ ଜଳ ଆବଣ୍ଟନ ପାଇଁ ଜଳସଂପଦ ବିଭାଗ ତରଫରୁ "ଗୋ ସ୍ବିଫ୍ଟ" ପୋର୍ଟାଲକୁ ବିକଶିତ କରାଯାଇଛି। ଏହା ଜରିଆରେ ସେମାନେ ଅନ୍‌ ଲାଇନ ଆବେଦନ କରିପାରିବେ। ବାଣିଜ୍ୟିକ ଓ ଅନ୍ୟ ସଂସ୍ଥା ପାଇଁ ଜଳ ଆବେଣ୍ଟନ ପାଇଁ ମଧ୍ୟ ଜଳସଂପଦ ବିଭାଗ ତରଫରୁ ଅନ୍‌ଲାଇନ ପୋର୍ଟାଲ ବିକଶିତ କରାଯାଇଛି । ଏହି ପୋର୍ଟାଲ ଜରିଆରେ ଆବେଦନକରୀ ମାନଙ୍କୁ ଜଳର ଆବଣ୍ଟନ, ପରିମାଣ ହ୍ରାସ ବୃଦ୍ଧି ଇତ୍ୟାଦି ବିଷୟରେ ବିଭାଗ ତରଫରୁ ଅବଗତ କରାଯାଇପାରିବ ।