ଆଇପିଏଲ ଲଢେଇରେ ଦିଲ୍ଲୀ ବନାମ-ମୁମ୍ବାଇ : ଜାଣନ୍ତୁ କିଛି ରୋଚକ ତଥ୍ୟ
ଆଇପିଏଲ ଲଢେଇରେ ଦିଲ୍ଲୀ ବନାମ-ମୁମ୍ବାଇ : ଜାଣନ୍ତୁ କିଛି ରୋଚକ ତଥ୍ୟ
admin
Nov 9, 2020 - 14:07
Updated: Nov 9, 2020 - 14:07
ଦୁବାଇ : କରୋନା ସଙ୍କଟ ମଧ୍ୟରେ ସଫଳତାର ସହ ଉଦଯାପିତ ହେବାକୁ ଯାଉଛି ଆଇପିଏଲର ତ୍ରୟୋଦଶ ସଂସ୍କରଣ । ପରସ୍ପରକୁ ଭେଟିବାକୁ ଯାଉଛନ୍ତି ୪ ଥର ଚାମ୍ପିୟନ ମୁମ୍ବାଇ ଏବଂ ପ୍ରଥମ ଥର ଫାଇନାଲିଷ୍ଟ ଦିଲ୍ଲୀ । ଏହି ଆଇପିଏଲରେ ଅନେକ ଅନ୍ତର୍ଜାତୀୟ ଖେଳାଳି ବିଫଳ ହୋଇଥିବା ବେଳେ ଘରୋଇ କ୍ରିକେଟର କିଛି ଅଜଣା ନାମ ଅପାର ସଫଳତା ହାସଲ କରିଛନ୍ତି । ଆସନ୍ତୁ ଚଳିତ ସଂସ୍କରଣର କିଛି ତଥ୍ୟ ଉପରେ ନଜର ପକାଇବା ।
ଅରେଞ୍ଜ କ୍ୟାପ : ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ସଂଗ୍ରହକାରଙ୍କୁ ଅରେଞ୍ଜ କ୍ୟାପ ପ୍ରଦାନ କରାଯାଇଥାଏ । ଚଳିତ ଥର ଫାଇନାଲ ପୂର୍ବରୁ କିଙ୍ଗସ ଇଲେଭେନ ଅଧିନାୟକ କେ ଏଲ ରାହୁଲ ଏହି ତାଲିକାରେ ଉପରେ ରହିଛନ୍ତି । ତେବେ ରାହୁଲଙ୍କ ଭାରତୀୟ ସାଥୀ ଓପନର ଶିଖର ଧୱନ ମାତ୍ର ୬୭ ରନ ପଛରେ ରହିଛନ୍ତି । ରାହୁଲ ୧୪ ଇନିଂସରୁ ୫୫.୮୩ ହାରରେ ୬୭୦ ରନ ସଂଗ୍ରହ କରିଥିବା ବେଳେ ଶିଖର ଧୱନ ୧୬ଇନିଂସରୁ ୬୦୩ ରନ ସଂଗ୍ରହ କରିଛନ୍ତି । ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ୧୬ ମ୍ୟାଚରୁ ୫୪୮ ରନ ସଂଗ୍ରହ କରି ତୃତୀୟ ସ୍ଥାନରେ ରହିଛନ୍ତି । ପଛକୁ ପଛ ରହିଛନ୍ତି ଇଶାନ କିଶନ ଏବଂ କ୍ୱିଣ୍ଟନ ଡିକକ । ଉଭୟ ସମାନ ୪୮୩ ରନ ଲେଖାଏଁ ସଂଗ୍ରହ କରିଛନ୍ତି ।
ପର୍ପଲ କ୍ୟାପ : ସର୍ବାଧିକ ୱିକେଟ ହାସଲକାରୀଙ୍କୁ ପର୍ପଲ କ୍ୟାପ ପ୍ରଦାନ କରାଯାଉଥିବା ବେଳେ ଗତଥରର ପର୍ପଲ କ୍ୟାପ ହାସଲ କାରୀ କାଗିସୋ ରବାଡା ଚଳିତ ଥର ମଧ୍ୟ ଉପରେ ରହିଛନ୍ତି । ତେବେ ବ୍ୟାଟିଂ ପରି ଏଠାରେ ରବାଡା ଏକ ଚାଟିଆ ଅଧିକାର ଜାହିର କରି ପାରି ନାହାନ୍ତି । ରବାଡାଙ୍କୁ କଡା ଟକ୍କର ଦେଇଛନ୍ତି ଯଶପ୍ରୀତ ବୁମରା । ରବାଡା ୧୬ଟି ମ୍ୟାଚରୁ ୨୯ଟି ୱିକେଟ ଅକ୍ତିଆର କରିଥିବା ବେଳେ ଯଶପ୍ରୀତ ବୁମରା ୧୪ଟି ମ୍ୟାଚରୁ ୨୭ଟି ୱିକେଟ ଅକ୍ତିଆର କରିଛନ୍ତି । ସାଥୀ ମୁମ୍ବାଇ ଇଣ୍ଡିଆନ୍ସ ପେସର ଟ୍ରେଣ୍ଟ ବୋଲ୍ଟ ସମାନ ୧୪ଟି ମ୍ୟାଚରୁ ୨୨ଟି ୱିକେଟ ହାସଲ କରିଛନ୍ତି । ଚତୁର୍ଥ ସ୍ଥାନରେ ରହିଛ ନ୍ତି ୟୁଜବେନ୍ଦ୍ର ଚହଲ । ଚହଲ ୧୫ଟି ମ୍ୟାଚରୁ ୨୧ଟି ୱିକେଟ ଅକ୍ତିଆର କରିଥିବା ବେଳେ ୧୬ଟି ମ୍ୟାଚରୁ ୨୦ ୱିକେଟ ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି ଆଫଗାନିସ୍ତାନର ରଶିଦ ଖାନ । ତେବେ ଏହି ଦୁଇ ସ୍ପିନରଙ୍କୁ ଛାଡିଲେ ଟପ-୧୦ରେ ଆଉ ଜଣେ ବି ସ୍ପିନର ନାହାନ୍ତି ।
ଅନକ୍ୟାପଡ ପ୍ଲେୟର : ଏହି ଆଇପିଏଲରେ ଏକାଧିକ ଅନକ୍ୟାପଡ ଖେଳାଳି ନିଜର ଦବଦବା ଜାହିର କରିଛନ୍ତି । ରାହୁଲ ତେୱାତିୟାଙ୍କ ପରି ଖେଳାଳି ନିଜ ଦମରେ ଏକାଧିକ ମ୍ୟାଚରେ ବିଜୟୀ କରାଇଥିଲେ । ରାଜସ୍ଥାନ ପକ୍ଷରୁ ଖେଳିଥିବା ତେୱାତିୟା ୧୪ ମ୍ୟାଚରୁ ୨୫୫ ରନ ସଂଗ୍ରହ କରିବା ସହିତ ୧୦ଟି ୱିକେଟ ଅକ୍ତିଆର କରିଥିଲେ । ଆରସିବି ପକ୍ଷରୁ ଖେଳୁଥିବା ଦେବଦତ୍ତ ପଡିକ୍କଲ ଚଳିତ ସିଜିନରେ ୪୭୩ ରନ ସଂଗ୍ରହ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ୧୫ଟି ମ୍ୟାଚରୁ ୩୧ ରନ ହାରରେ ୪୭୩ରନ ସଂଗ୍ରହ କରିଛନ୍ତି । ପଦାର୍ପଣରେ କୌଣସି ଖେଳାଳିଙ୍କ ପାଇଁ ଏହା ସର୍ବାଧକ ସ୍କୋର । ମୁମ୍ବାଇ ପକ୍ଷରୁ ଖେଳୁଥିବା ଇଶାନ କିଶନ ୧୩ଟି ମ୍ୟାଚରୁ ୩୭ ହାରରେ ୪୮୩ ରନ ସଂଗ୍ରହ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । କିଶନଙ୍କ ଇନିଂସ ଏକାଧିକ ଥର ମୁମ୍ବାଇକୁ ବିପର୍ଯ୍ୟୟରୁ ଉଦ୍ଧାର କରିଛି । ରାଜସ୍ଥାନ ପକ୍ଷରୁ ଖେଳୁଥିବା ୧୯ ବର୍ଷୀୟ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ ମଧ୍ୟ ସମସ୍ତଙ୍କ ନଜରରେ ରହିଛନ୍ତି । ୧୦ଟି ମ୍ୟାଚରୁ ମାତ୍ର ୯ଟି ୱିକେଟ ଅକ୍ତିଆର କରିଥିଲେ ମଧ୍ୟ ନିୟମିତ ୧୪୦ କିମି ଉପରେ ବୋଲିଂ କରୁଥିବାରୁ ତ୍ୟାଗୀଙ୍କୁ ଭାରତୀୟ ବୋଲିଂର ଭବିଷ୍ୟତ ଭାବରେ ବିବେଚନା କରାଯାଉଛି । ଆଉ ଜଣେ ଅନକ୍ୟାପଡ ଖେଳାଳି ହେଉଛନ୍ତି ଏନ ନଟରାଜନ । ଚଳିତ ସିଜିନରେ ୧୬ଟି ୱିକେଟ ନେଇ ବୋଲରଙ୍କ ତାଲିକାରେ ୯ମ ସ୍ଥାନରେ ରହିଥିଲେ ମଧ୍ୟ ସର୍ବାଧିକ ୟର୍କର ପକାଇବାର ରେକର୍ଡ କରିଛନ୍ତି । ଏହି ପ୍ରଦର୍ଶନ କାରଣରୁ ନଟରାଜନଙ୍କୁ ଭାରତୀୟ ଦଳ ପାଇଁ ମନୋନୀତ କରାଯାଇଛି ।