ଜଳିଗଲେ ୨୭, ମୃତ୍ୟୁ ସଂଖ୍ୟା ବଢ଼ିପାରେ

ଜଳିଗଲେ ୨୭, ମୃତ୍ୟୁ ସଂଖ୍ୟା ବଢ଼ିପାରେ

ଜଳିଗଲେ ୨୭, ମୃତ୍ୟୁ ସଂଖ୍ୟା ବଢ଼ିପାରେ

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟସ୍ଥ ଏକ ୪ ମହଲା ବିଶିଷ୍ଟ ବ୍ୟବସାୟକ ପ୍ରତିଷ୍ଠାନରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୬ ଜଣ ଗୁରୁତର ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି। ଏହି ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି।

ଅଗ୍ନିକାଣ୍ଡ ପରେ ଏବେ ବି ବହୁ ଲୋକ ନିଖୋଜ ଥିବା ବେଳେ ସେମାନଙ୍କ ପତ୍ତା ପାଉ ନାହାନ୍ତି ପରିବାର ଲୋକ । ନିଜ ଲୋକଙ୍କୁ ଖୋଜିବାକୁ ସମ୍ପର୍କୀୟମାନେ ଏ ମେଡିକାଲ୍‌ରୁ ସେ ମେଡିକାଲକୁ ଘୁରି ବୁଲୁଛନ୍ତି । ଫଳରେ ସେମାନେ ଏବେ କେଉଁଠି ଓ କିପରି ଅଛନ୍ତି ତାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ରେସକ୍ୟୁ ଅପରେସେନ ଶେଷ ହୋଇଥିଲେ ବି ଅଗ୍ନିଶମ କର୍ମଚାରୀ ବିଲଡିଂକୁ ଭଲ ଭାବେ ଯାଞ୍ଚ କରୁଛନ୍ତି।

ପୁଲିସ୍‌ ସୂଚନା ମୁତାବକ , ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନସ୍ଥିତ ଏକ ବହୁତଳ କୋଠାର ପ୍ରଥମ ମହଲାରେ ଗତକାଲି ସନ୍ଧ୍ୟା ସମୟରେ ନିଆଁ ଲାଗିଥିଲା । ଏହି ବିଲଡିଂରେ ମୁଖ୍ୟତଃ ବିଭିନ୍ନ ଅଫିସର କାର୍ୟ୍ୟାଳୟ ରହିଛି। ନିଆଁ ଆଖି ପିଛୁଳାକେ ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା। ବିଲଡିଂରୁ ବାହାରିବାକୁ ଗୋଟିଏ ସିଡି ଥିବାରୁ ଉକ୍ତ ବାଟ ଦେଇ ସମସ୍ତେ ବାହାରିବା ସମ୍ଭବପର ହୋଇ ନ ଥିଲା। ଏଥିସହ ବିଲଡିଂର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନ ଥିବା ଯାଞ୍ଚ ବେଳେ ଜଣାପଡ଼ିଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ଏହି ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିବା ବେଳେ ବିଲଡିଂର ମାଲିକ ମନିଷ ଲାକରା ଫେରାର ଅଛନ୍ତି।