ଜାରି ରହିବ ଘନ କୁହୁଡ଼ି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଜାରି ରହିବ ଘନ କୁହୁଡ଼ି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଜାରି ରହିବ ଘନ କୁହୁଡ଼ି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ଜାରି ରହିଛି ଘନ କୁହୁଡ଼ି । ଲଗାତାର ତିନି ଦିନ ହେଲା ରଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ଘନ କୁହୁଡ଼ି ଲାଗିରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ଅଧିକାଂଶ ସ୍ଥାନରେ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତା ଠିକ୍ ଭାବେ ଦୃଶ୍ୟମାନ ହୋଇ ନ ଥିଲା । କୌଣସି ସ୍ଥାନରେ ଅଘଟଣ ହୋଇ ନଥିଲେ ମଧ୍ୟ ବସ୍ ଓ ଟ୍ରେନ୍ ଚଳାଚଳରେ କିଛିଟା ବିଳମ୍ବ ହୋଇଥିବା ସୂଚନା ମିଳିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ ଏଭଳି ଘନ କୁହୁଡ଼ି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । କୁହାଯାଇଛି ଯେ ୨୯ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ୧୨ଟି ଜିଲ୍ଲାରେ ଘନ କୁହୁଡ଼ି ହେବ । ମଧ୍ୟରାତି ପରେ କୁହୁଡ଼ି ପରିମାଣ ବଢ଼ିବ । ଉପକୂଳ ଓଡ଼ିଶାରେ ଭୋର ସମୟରେ ସ୍ଥିତି ଅଧିକ ଖରାପ ରହିବ । ତେଣୁ ଭଦ୍ରକ, ଅନୁଗୁଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଘନ କୁହୁଡ଼ି କବଳରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ୩୦ ତାରିଖରେ ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ ଓ ଢେଙ୍କାନାଳରେ ଘନ କୁହୁଡ଼ି ହେବ । ଏହାବ୍ୟତୀତ ଉପକୂଳ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ବି ସକାଳୁ ସକାଳୁ କୁହୁଡ଼ି ପଡ଼ିବ । ଡିସେମ୍ବର ପହିଲାରୁ ପାଗରେ କିଛିଟା ପରିବର୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପକ୍ଷରେ ଘନ କୁହୁଡ଼ି ଲାଗିରହିଥିଲେ ମଧ୍ୟ ତାପମାତ୍ରା ହ୍ରାସ ପାଇନି । ଆଜି ବି ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରି ରେକର୍ଡ କରାଯାଇଛି । ଏହାବ୍ୟତୀତ କୋରାପୁଟରେ ୧୨.୫, ସୁନ୍ଦରଗଡ଼ରେ ୧୩, ଅନୁଗୁଳରେ ୧୪, ଟିଟିଲାଗଡ଼ ଓ ସୋନପୁରରେ ୧୩.୬ ଡିଗ୍ରି ଲେଖାଏ ରହିଥିଲା । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି ।