ଜେଲ ସଂସ୍କାର : ପୋଷାକ ସଫା ପାଇଁ ୱାସିଂମେସିନ, ଫିଲ୍ମ ପାଇଁ ପ୍ରୋଜେକ୍ଟର

ଜେଲ ସଂସ୍କାର : ପୋଷାକ ସଫା ପାଇଁ ୱାସିଂମେସିନ, ଫିଲ୍ମ ପାଇଁ ପ୍ରୋଜେକ୍ଟର

ଜେଲ ସଂସ୍କାର : ପୋଷାକ ସଫା ପାଇଁ ୱାସିଂମେସିନ, ଫିଲ୍ମ ପାଇଁ ପ୍ରୋଜେକ୍ଟର
ଭୁବନେଶ୍ୱର : ନିଜ ପୋଷାକ ସଫା କରିବା ପାଇଁ ଆଉ କଏଦୀଙ୍କୁ ବେଶି କଷ୍ଟ କରିବାକୁ ପଡ଼ିବ ନାହିଁ କି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଅତି କମ ସମୟ ମଧ୍ୟରେ ପୋଷାକ ସଫା କରିପାରିବେ । ଏଥିପାଇଁ ଝାରପଡ଼ା ଜେଲକୁ ୪ଟି ୱାସିଂମେସିନ ଆସିଛି । ଏହାର କ୍ଷମତା ୨୦ କେଜି ବିଶିଷ୍ଟ ରହିଛି । ଖୁବଶୀଘ୍ର କଏଦୀମାନେ ଏହି ସୁବିଧା ପାଇପାରିବେ । ମିଳିଥିବା ସୂଚନା ଅନୁସାରେ ଗୋଟିଏ ୱାସିଂ ମେସିନରେ ଗୋଟିଏ ୱାର୍ଡର କଏଦୀ କପଡ଼ା ସଫା କରିବେ । ପ୍ରତିଦିନ ଗୋଟିଏ ଲେଖାଏଁ ୱାର୍ଡର କଏଦୀ ସଫା କରିବାର ବ୍ୟବସ୍ଥା କରାଯାଇଛି । ସେହିପରି କଏଦୀଙ୍କ ମନୋରଞ୍ଜନ ପାଇଁ ପ୍ରୋଜେକ୍ଟରର ବ୍ୟବସ୍ଥା କରାଯାଇଛି । ଏହା ସାହାଯ୍ୟରେ ସେମାନେ ଫିଲ୍ମ ଦେଖିବେ । ଯେଉଁ ଫିଲ୍ମରୁ ଶିକ୍ଷା ମିଳିପାରିବ ସେହିଭଳି ଫିଲ୍ମ ପ୍ରଦର୍ଶିତ ହେବ । ଐତିହାସିକ, ପୌରାଣିକ, ପରିବେଶ ସୁରକ୍ଷା ଭଳି ଫିଲ୍ମ ଦେଖିପାରିବେ । ଏହା ସହ ସାଉଣ୍ଡ ସିଷ୍ଟମ ମଧ୍ୟ ଲାଗିଛି । ସକାଳ ଓ ସନ୍ଧ୍ୟାରେ କଏଦୀମାନେ ଭଜନ, ଆଧ୍ୟାତ୍ମିକ ଗୀତ ଶୁଣି ପାରିବେ । ଫଳରେ ସେମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଆସିବ । ଜେଲରେ କଏଦୀମାନଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ଉଦବେଗଜନକ ଭାବେ ବଢ଼ୁଥିବାରୁ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ପକ୍ଷରୁ ଗାଇଡଲାଇନ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା । କଏଦୀମାନଙ୍କର କେମିତି ମନ ଖୁସି ରହିବ, ସେ ନେଇ ଝାରପଡ଼ା ଜେଲରେ ଏପରି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ଏହା ସହ କଏଦୀମାନଙ୍କ ପାଇଁ ଜେଲରେ ପବ୍ଲିକ ଆଡ୍ରେସ ସିଷ୍ଟମ ଓ ଅତ୍ୟାଧୁନିକ ଆକ୍ୱାଗାର୍ଡ ମଧ୍ୟ ଲାଗିଛି । ଏଥିରୁ ଥଣ୍ଡା ଓ ଗରମ ପାଣି ବାହାରି ପାରିବ । ଯେଉଁ ମହିଳା କଏଦୀମାନଙ୍କ ଛୋଟ ଛୁଆ ରହିଛନ୍ତି, ସେମାନେ ଗରମ ପାଣି ବ୍ୟବହାର କରିପାରିବେ । ଅଧିକ ସମୟ ଖାଦ୍ୟକୁ ତାଜା ରଖିବା ପାଇଁ ମହିଳା କଏଦୀଙ୍କୁ ହଟ-କେସ ଯୋଗାଇ ଦିଆଯିବବୋଲି ଜେଲ ଅଧୀକ୍ଷକ ଡି.ଏନ ବାରିକ କହିଛନ୍ତି ।