ତାମିଲନାଡ଼ୁରେ ଅନୁପ୍ରବେଶ କରିଛନ୍ତି ୬ ଆତଙ୍କବାଦୀ

ତାମିଲନାଡ଼ୁରେ ଅନୁପ୍ରବେଶ କରିଛନ୍ତି ୬ ଆତଙ୍କବାଦୀ

ତାମିଲନାଡ଼ୁରେ ଅନୁପ୍ରବେଶ କରିଛନ୍ତି ୬ ଆତଙ୍କବାଦୀ
ନୂଆଦିଲ୍ଲୀ:ତାମିଲନାଡୁରେ ଏବେ ହାଇଆଲର୍ଟ ଜାରି ହୋଇଛି । ଶ୍ରୀଲଙ୍କା ଦେଇ ତାମିଲନାଡ଼ୁକୁ ୬ ଏଲଇଟି ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି ହୋଇଛି । ତାମିଲନାଡ଼ୁର ସମସ୍ତ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଗତ ରାତିରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି । ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡ଼ିକରେ ମଧ୍ୟ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଛି । ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ ଆଜି ଏଡିଜି ଜୟନ୍ତ ମୁରଲି କେଏମ୍ବାଟୁରର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । କୋଏମ୍ବାଟୁରରେ ପୁଲିସ ୧୩୦୦ ସୁରକ୍ଷା କର୍ମୀଙ୍କୁ ମୁତୟନ କରିଛି । ରେଳ ଷ୍ଟେସନ ବସ୍ ଷ୍ଟାଣ୍ଡ ଏବଂ ବିମାନ ବନ୍ଦରରେ ମଧ୍ୟ ସୁରକ୍ଷା ବନେ୍ଦାବସ୍ତ ବଢ଼ାଇ ଦିଆଯାଇଛି । ରାଜ୍ୟରେ ୮ଟି ଜିଲ୍ଲାରେ ଅତିରିକ୍ତ ୮,୦୦୦ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ତାମିଲନାଡ଼ୁ ପୁଲିସ ପକ୍ଷରୁ ଆଜି ଏକ ଆତଙ୍କବାଦୀର ଫଟୋ ଜାରି କରାଯାଇଛି । ତେବେ ଗୁଇନ୍ଦା ସୂତ୍ରରୁ କୁହାଯାଇଛି ଯେ ୬ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ନାଗରିକ ହୋଇଥିବା ବେଳେ ଅନ୍ୟମାନେ ଶ୍ରୀଲଙ୍କାର ତାମିଲ ମୁସଲିମ । ପାକିସ୍ତାନୀ ଆତଙ୍କବାଦୀକୁ ଇଲିୟାସ ଅନୱଲ ବୋଲି ଚିହ୍ନଟ କରାଯାଇଛି । ଗତ ସପ୍ତାହରେ ବେଙ୍ଗାଲୁରୁରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇଆଲର୍ଟ ଜାରି ହୋଇଥିଲା । ପଶ୍ଚିମ ଓ ପୂର୍ବ ସମୁଦ୍ର ପଥରେ ମଧ୍ୟ ନୌସେନା କଡ଼ା ସତର୍କତା ଅବଲମ୍ବନ କରିଛନ୍ତି । ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ପଞ୍ଜାବରେ ମଧ୍ୟ କେତେକ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।