ନବୀନଙ୍କ ଠାରୁ ପ୍ରତିଶୋଧ ଲକ୍ଷ୍ୟରେ ଦାମ
ନବୀନଙ୍କ ଠାରୁ ପ୍ରତିଶୋଧ ଲକ୍ଷ୍ୟରେ ଦାମ
admin
Mar 14, 2019 - 09:41
Updated: Mar 14, 2019 - 09:41
ନବୀନ ନିବାସରେ ପୁଅ ସମ୍ବିତ ଥିଲାବେଳେ, ଏଣେ ନବୀନଙ୍କ ଉପରେ ବିଷ ଝାଡିଲେ ଦାମ । ପୁଅ ପାରାଦୀପ ଆଶାୟୀ ଥିବା କଥା ମୁଁ ଜାଣିନି । ପୁଅ ପ୍ରାପ୍ତ ବୟସ୍କ, ମୁଁ ତାକୁ ବାନ୍ଧିକି ରଖିନି, ସେ କୁଆଡେ ଯାଇଛି ମୁଁ ଜାଣିନି ବୋଲି ଦାମ କହିଛନ୍ତି । ଅଣ ଓଡିଆ ଅଫିସରଙ୍କ କଥାରେ ନବୀନ ପଟ୍ଟନାୟକ ମୋତେ ଗୋଇଠା ମାରି ବିଦା କଲେ । ମୋର ଗୋଟିଏ ଲକ୍ଷ୍ୟ ନବୀନ ଯେମିତି ସରକାର ଗଠନ ନକରିପାରିବେ । ଏନେଇ ମୁଁ ଶେଷ ନିଶ୍ୱାସ ଥିବା ଯାଏଁ ଲଢ଼େଇ ଜାରି ରଖିବି ।
ପୁଣି ବିଜେଡି ଫେରିବା ପ୍ରସଙ୍ଗରେ ଦାମଙ୍କ ପ୍ରତିକ୍ରିୟା । ମୁଁ ପକାଇଥିବା ଛାପ ଢ଼ୋକେନି, ନବୀନଙ୍କ ଠାରୁ ପ୍ରତିଶୋଧ ନେବା ମୋର ଲକ୍ଷ୍ୟ । ୨୦୧୯ରେ ନବୀନଙ୍କୁ ଶାସନରୁ ବିଦା କରିବା ପାଇଁ ଲଢ଼େଇ କରିବି । ମୋର ଲଢ଼େଇ ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନ ଉପରେ ହେବ ।
ବିଜେପିରେ ମିଶିବା ନେଇ ଚର୍ଚ୍ଚା ପ୍ରସଙ୍ଗରେ ଦାମଙ୍କ ପ୍ରତିକ୍ରିୟା । ଏ ବିଷୟରେ ମୁଁ ବର୍ତମାନ ଚିନ୍ତା କରିନାହିଁ । ଆଲୋଚନା ଜାରି ରହିଛି ।
ପ୍ରକାଶ ଯେ, ଦାମୋଦର ରାଉତଙ୍କ ଉପରେ ଏବେ ସମସ୍ତଙ୍କ ନଜର । ୨୦୧୯ରେ ସେ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବ ତାହାକୁ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଛି । ଗୋଟିଏ ପଟେ ଦାମ ବିଜେପି ଯିବେ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ଅପରପକ୍ଷରେ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ ଦେଇ ଦାମଙ୍କୁ ନୀରବ ରଖିବାକୁ ଗୋଟି ଚାଳନା କରିଛି । ଗୁରୁବାର ନବୀନ ନିବାସରେ ସମ୍ବିତ ରାଉତରାୟଙ୍କୁ ଦେଖିବାକୁ ମିଳିଛି । ନବୀନ ନିବାସରୁ ତାଙ୍କୁ ଡାକରା ମିଳିଛି । ୨୦୧୯ରେ ତାଙ୍କୁ ଟିକେଟ ମିଳିବ କି ନାହିଁ ଆଜି ସମ୍ବିତଙ୍କୁ ସ୍ପଷ୍ଟ କରିଦିଆଯିବ ବୋଲି ଜାଣିବାକୁ ମିଳିଛି ।
ପୁଅ ସମ୍ବିତ ରାଉତରାୟ ଓ ଝିଅ ପ୍ରୀତିନନ୍ଦା ରାଉତରାୟଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଦାମ ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଦାମ ବିଜେପି ଯିବେ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ବିଜେଡି ପକ୍ଷରୁ ଥୋପ ଦିଆଯାଇଥିଲା । ଯେଉଁଥି ପାଇଁ ଦାମ ବିଜେପିରେ ଯୋଗଦାନ କରିନାହାନ୍ତି ବୋଲି କୁହାଯାଉଥିଲା । ତେବେ ଦାମ ଏହାକୁ ଖଣ୍ଡନ କରିଛନ୍ତି ।