ନାସା ନାଁରେ ଠକେଇ

ନାସା ନାଁରେ ଠକେଇ

ନାସା ନାଁରେ ଠକେଇ
ଅନୁଗୁଳ: ‘ନାସା ନାଁରେ ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନବମ ଶ୍ରେଣୀ ଛାତ୍ର ସୁଭ୍ରାଂଶୁ କୁମାର ନାୟକଙ୍କୁ ଠକିବା ଘଟଣାରେ ଅନୁଗୁଳ ପୁଲିସର ସାଇବର ସେଲ ଖୋଳତାଫ କରି ସମସ୍ତ କାରସାଦିରୁ ପରଦା ହଟାଇଛି । ଏହି ଘଟଣାରେ ନାବାଳକ ନିଜେ ହିଁ କର୍ପଟଦାର ବୋଲି ସ୍ପଷ୍ଟ ହୋଇଛି । ଏ ନେଇ ସାଇବର ସେଲ ରିପୋର୍ଟ ଆଧାରରେ ସମ୍ପୃକ୍ତ ନାବାଳକ ନାମରେ ଅନୁଗୁଳ ଆଦର୍ଶ ଥାନାରେ ଅପରାଧିକ ମାମଲା ରୁଜୁ ।ହୋଇଛି । ଯେହେତୁ ଅଭିଯୁକ୍ତ ଜଣେ ନାବାଳକ (୧୪) ଆଇନତଃ ତା ସମ୍ପର୍କରେ ଗଣମାଧ୍ୟମ କି ସାଧାରଣରେ ସବିଶେଷ ଖୁଲାସା କରିନାହିଁ ପୁଲିସ । ଖୁବଶୀଘ୍ର ଏ ନେଇ ପୁଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ସମସ୍ତ ରିପୋର୍ଟ ଦାଖଲ କରିବ ରିପୋର୍ଟକୁ ଦେଖିବା ପରେ ବୋର୍ଡ ହିଁ ନିର୍ଦ୍ଧାରଣ କରିବ ‘ନାସା ନାଁ୩ ରେ ସମସ୍ତଙ୍କୁ ଭୁଅାଁ ବୁଲାଇଥିବା ନାବାଳକ ଉପରେ କି ଦଣ୍ଡ ବିଧାନ କରାଯିବ ବୋଲି ପୁଲିସ ଗତକାଲି ସୂଚନା ଦେଇଥିଲା । ସାଇବର ସେଲର ଅନୁଧ୍ୟାନ ବେଳେ ନାବାଳକର କାରସାଦି ପୁଲିସ ଅଧିକାରୀଙ୍କ ମୁଣ୍ଡ ଘୂରାଇ ଦେଇଥିଲା । ଶୁଭ୍ରାଂଶୁଙ୍କ ‘ମାଭିକ’ ନାମକ ବିଜ୍ଞାନ ପ୍ରକଳ୍ପ ‘ନାସା’ ବୈଜ୍ଞାନିକ ମନ ଜିଣିଥିବା ଏବଂ ଏଥିଲାଗି ନାସା ସ୍ପେସ ସେ-ଟଲମେଣ୍ଟ ପ୍ରତିଯୋଗିତା’ ରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଥିବା ନେଇ ଯେଉଁ ଇ-ମେଲ ଶିଶୁ ମନ୍ଦିର କର୍ତ୍ତୃପକ୍ଷଙ୍କ ଅଫିସିଆଲ ଆଇଡିକୁ ଆସିଥିଲା । ଏହାର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ପ୍ରଧାନଆଚାର୍ଯ୍ୟ ଗତ ମାସ ୧୩ ତାରିଖରେ ଅନୁଗୁଳ ଥାନା ଅଧିକାରୀଙ୍କୁ ପତ୍ର କରିଥିଲେ । ସେଇ ଚିଠି ଆଧାରରେ ସାଇବର ସେଲ ସନ୍ଦିଗ୍ଧ ମେଲ ଆଇଡି ସମ୍ପର୍କରେ ଅନୁସନ୍ଧାନ କରିଥିଲା । ଯେଉଁ ମେଲ ଆକାଉଣ୍ଟରୁ ପ୍ରଧାନ ଶିକ୍ଷକଙ୍କ ପାଖକୁ ମେଲ ଆସିଥିଲା, ସେ ସମ୍ପର୍କରେ ଖୋଳତାଡ଼ କରିବା ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡ଼ିଥିଲା । ମେଲ ଆସିଥିବା ଆକାଉଣ୍ଟର ରିକଭରି ମେଲ ଆଇଡି ଜଣେ ନାବାଳକର ହୋଇଥିବା ବେଳେ ଜାଲ ଆକାଉଣ୍ଟ ଖୋଲିବାକୁ ଯେଉଁ ମୋବାଇଲ ନମ୍ବର ଦିଆଯାଇଥିଲା ସେ ନମ୍ବର ତା ବାପାଙ୍କ ନାମରେ ରହିଥିଲା । ଏ ନେଇ ସାଇବର ସେଲ ପକ୍ଷରୁ ଅନୁଗୁଳ ଥାନା ଅଧିକାରୀଙ୍କୁ ରିପୋର୍ଟ ଦାଖଲ କରାଯାଇଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଜାଲିଆତିର ନିର୍ଦ୍ଧିଷ୍ଟ କାରଣ ସମ୍ପର୍କରେ ଯଦିଓ ସାଇବର ସେଲ ସ୍ପଷ୍ଟ କରିନାହିଁ, ଏହା ପଛରେ ୩/୪ ଟି ମନ୍ଦ ଉଦେ୍ଧଶ୍ୟ ରହିଥିବା ଅନୁମାନ କରାଯାଉଛି । ଏ ସମସ୍ତ ଘଟଣା ନେଇ ସମ୍ପୃକ୍ତ ନାବାଳକ ନାମରେ ଅନୁଗୁଳ ଥାନାରେ ଆଇପିସି ଓ ଆଇଟି ଆକ୍ଟର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ଖୋଦ ଆଇଆଇସି ମାମଲାର ତଦନ୍ତ ଦାୟିତ୍ୱ ନେଇଛନ୍ତି ।