ପଞ୍ଚାୟତ ବିକାଶ ପାଇଁ ପ୍ରସ୍ତୁତ ହେବ ବାର୍ଷିକ ଯୋଜନା

ପଞ୍ଚାୟତ ବିକାଶ ପାଇଁ ପ୍ରସ୍ତୁତ ହେବ ବାର୍ଷିକ ଯୋଜନା

ପଞ୍ଚାୟତ ବିକାଶ ପାଇଁ ପ୍ରସ୍ତୁତ ହେବ ବାର୍ଷିକ ଯୋଜନା
ଭୁବନେଶ୍ୱର: ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପଞ୍ଚାୟତରେ କେଉଁ ଯୋଜନା ହାତକୁ ନିଆଯିବ? ପଞ୍ଚାୟତରେ କ’ଣ ବିକାଶ ମୂଳକ ପ୍ରକଳ୍ପ ଜରୁରୀ । ଏସବୁ ଦିଗକୁ ଫୋକସ କରି ଆସନ୍ତା ଆର୍ଥିକ ବର୍ଷ ପାଇଁ ପଞ୍ଚାୟତ ବିକା ମୂଳକ ଯୋଜନା ପ୍ରସ୍ତୁତ କରାଯିବ । କରୋନା ମହାମାରୀ ଯୋଗୁଁ ଗ୍ରାମସଭା ହୋଇପାରିବନି । ତେଣୁ ପଞ୍ଚାୟତିରାଜ ବିଭାଗ ବିକଳ୍ପ ବ୍ୟବସ୍ଥା କରିଛି । କରୋନା କଟକଣାରେ ପଞ୍ଚାୟତ ବୈଠକ ବସି ବାର୍ଷିକ ଯୋଜନା ଅନୁମୋଦନ ହେବା ପରେ ଏହା ନକଲ ପଞ୍ଚାୟତ ଅଧୀନରେ ଥିବା ସମସ୍ତ ରାଜସ୍ୱ ଗ୍ରାମରେ ପ୍ରଦର୍ଶିତ ହେବ । ଲୋକଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ଆସନ୍ତା ଗାନ୍ଧି ଜୟନ୍ତୀରୁ ଏଥିପାଇଁ ଜନଯୋଜନା ଅଭିଯାନ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପଞ୍ଚାୟତରେ ତୃଣମୂଳ ସ୍ତରରେ କ’ଣ ସବୁ ପ୍ରକଳ୍ପ ଆବଶ୍ୟକ ସେ ନିଷ୍ପତ୍ତି ପଞ୍ଚାୟତବାସୀ ଦେବେ । ସରକାର ଉପରୁ ତାକୁ ଲଦି ଦେବେନି । ଏମିତି ନିଷ୍ପତ୍ତି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) । ଏହି ଯୋଜନା ଅନୁସାରେ ପ୍ରତି ପଞ୍ଚାୟତରେ ଗୋଟିଏ ଆର୍ଥିକ ବର୍ଷରେ କ’ଣ ସବୁ ଯୋଜନା ହାତକୁ ନିଆଯିବ ତାହା ଗ୍ରାମସଭା ବସି ନିଷ୍ପତ୍ତିହେବ । ମାତ୍ର ଚଳିତ ବର୍ଷ କରୋନା କାରଣରୁ ଗ୍ରାମସଭା ବୈଠକ ଡାକିବା ସମ୍ଭବ ନୁହେଁ । ତେଣୁ ପଞ୍ଚାୟତ ବୈଠକରେ ଯୋଜନାକୁ ଗୃହୀତ କରାଇ ଲୋକମାନଙ୍କୁ ଅବଗତ କରାଇବାକୁ ନିଷ୍ପତ୍ତି ହୋଇଛି । ଏ ସମ୍ପର୍କରେ ବିଭାଗୀୟ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂ ଜିଲ୍ଲାପାଳ ଓ ଡିଆରଡିଏ ପିଡିମାନଙ୍କୁ ଚିଠି ଲେଖିଛନ୍ତି ।