ପଦାରେ ପଡ଼ିଲା ବିଜେପି ଗୋଷ୍ଠୀ କନ୍ଦଳ
ପଦାରେ ପଡ଼ିଲା ବିଜେପି ଗୋଷ୍ଠୀ କନ୍ଦଳ
admin
Nov 16, 2019 - 10:56
Updated: Nov 16, 2019 - 10:56
ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ପଦାକୁ ଆସିଛି ବିଜେପିର ଗୋଷ୍ଠୀ କନ୍ଦଳ । ବିଜେପି ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ତାଙ୍କ କାର୍ଯ୍ୟାଳୟରେ ବସିଥିବା ବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସମର୍ଥକଙ୍କ ମାଡରେ ଜିଲ୍ଲା ସଭାପତି ଶ୍ରୀ ଖୁଣ୍ଟିଆ ଆହତ ହୋଇଛନ୍ତି । ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ଜିଲ୍ଲା ସଭାପତି ଶ୍ରୀ ଖୁଣ୍ଟିଆ ଶୁକ୍ରବାର ଖାରବେଳ ନଗର ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ଖାରବେଳ ନଗର ଥାନା ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ ଚଳାଇଛି । ଅନ୍ୟ ପକ୍ଷରେ ଏହାକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଏସବୁ ମିଛ କଥା, ଆଇନ ତା ବାଟରେ ଯିବ । ଏ ସମ୍ପର୍କରେ ସତ୍ୟାସତ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିସିପିଙ୍କୁ ଜଣାଇଥିବା ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ଏକାମ୍ର ହାଟ ନିକଟରେ ବିଜେପି ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ତାଙ୍କର କୋପରେଟିଭ ସୋସାଇଟି କାର୍ଯ୍ୟାଳୟରେ ବସିଥିବା ବେଳେ ସାଂସଦଙ୍କ ପ୍ରତିନିଧି ଦେବାଶିଷ ନାୟକଙ୍କ ୭-୮ ଜଣ କର୍ମୀ ଆସି ଆକ୍ରମଣ ଓ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ । ଏଥିରେ ତାଙ୍କର ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି । ବିଜେପି କର୍ମୀ ଶ୍ରୀ ଖୁଣ୍ଟିଆଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ । ଏ ନେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି ଯେ ସାଂସଦ ଶ୍ରୀମତୀ ଷଡଙ୍ଗୀ ତାଙ୍କ ରାସ୍ତାରୁ କଣ୍ଟା ହଟାଇବାକୁ ଏଭଳି ଯୋଜନାବଦ୍ଧ ଆକ୍ରମଣ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଆଉ ଥରେ ଆକ୍ରମଣ କରିଥିଲେ । ଏହା ପଛରେ କେବଳ ରାଜନୈତିକ କାରଣ ରହିଛି ବୋଲି ଶ୍ରୀ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି । ପୁଲିସ ସୂଚନା ଅନୁସାରେ ଏକାମ୍ର ହାଟ ନିକଟରେ ହରେକୃଷ୍ଣ ତାଙ୍କ କାର୍ଯ୍ୟାଳୟରେ ବସିଥିବା ସମୟରେ କିଛି ଦୁର୍ବୃତ୍ତ ମୁହଁରେ କଳାପଟି ବାନ୍ଧି ହକିଷ୍ଟିକ ଓ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଏହି ସମୟରେ ଶ୍ରୀ ଖୁଣ୍ଟିଆଙ୍କ କିଛି ବନ୍ଧୁ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତମାନେ ଉକ୍ତ କାର୍ଯ୍ୟାଳୟରେ ପଶି ଆତଙ୍କରାଜ ସୃଷ୍ଟି କରିଥିବା ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ପୁଲିସ ଉକ୍ତ ସିସିଟିଭି ଫୁଟେଜକୁ ଓ ଅଭିଯୋଗକୁ ଆଧାର କରି ଅନୁସନ୍ଧାନ ଚଳାଇଥିବା ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି ସୂଚନା ଦେଇଛନ୍ତି ।