ପାକିସ୍ତାନ ଦଳକୁ ଶାସ୍ତ୍ରୀ ପସନ୍ଦ କରନ୍ତି, ଏମିତି କହିଲେ ରମିଜ ରାଜା
ପାକିସ୍ତାନ ଦଳକୁ ଶାସ୍ତ୍ରୀ ପସନ୍ଦ କରନ୍ତି, ଏମିତି କହିଲେ ରମିଜ ରାଜା

ଲାହୋର: ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଯେ କୌଣସି କ୍ରିକେଟ୍ ମ୍ୟାଚ୍ କୌଣସି ଯୁଦ୍ଧଠାରୁ କମ୍ ଚର୍ଚ୍ଚାରେ ନଥାଏ । ତଥାପି ଭାରତ ଓ ପାକିସ୍ତାନ ଖେଳାଳି ପରସ୍ପରକୁ ମନ ଭିତରେ ସମ୍ମାନ କରନ୍ତି । ଏପରିକି ପାକିସ୍ତାନ ଦଳର କିଛି କୌଶଳକୁ ଅପଣାଇ ଭାରତ ଏକ ବିଶ୍ୱସ୍ତରୀୟ ଦଳ ହୋଇପାରିଛି । ଏଭଳି ଦାବି କରିଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ ଅଧିନାୟକ ରମିଜ ରାଜା । ଏପରିକି ଭାରତୀୟ ଦଳର ଏବେକାର ପ୍ରଶିକ୍ଷକ ରବି ଶାସ୍ତ୍ରୀ ପାକିସ୍ତାନ ଦଳକୁ ବହୁତ ପସନ୍ଦ କରନ୍ତି ବୋଲି ରମିଜ କହିଛନ୍ତି । ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ମତ ରଖିଛନ୍ତି ଯେ ଭାରତୀୟ ଦଳ ପାକିସ୍ତାନର ସମସ୍ତ ଭଲ କୌଶଳକୁ କାମରେ ଲଗାଇ ଏହି ସ୍ଥିତିରେ ପହଞ୍ଚିଛି । ଏହା ମଧ୍ୟ ହେବାର ଥିଲା । କାରଣ ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ସବୁବେଳେ ପାକିସ୍ତାନ କ୍ରିକେଟ୍ ଦଳର ରଣନୀତିକୁ ପସନ୍ଦ କରୁଥିଲେ । ଏକଦା ଆମ ଦଳରେ ଅନେକ ପରିଶ୍ରମୀ ଏବଂ ଦୃଢ଼ ଏକାଗ୍ରତା ସଂପନ୍ନ ଖେଳାଳି ଥିଲେ । ଆମ ଦଳରେ ଶତପ୍ରତିଶତ ପ୍ରତିଭା ସଂପନ୍ନ ଖେଳାଳି ହୁଏତ ନଥିଲେ, ହେଲେ ଆମେ କେବେ ବି ସହଜରେ ହାର ମାନୁନଥିଲୁ । ଠିକ୍ ସେହିଭଳି ଭାରତ ନିଜ ରଣନୀତି ବଦଳାଇ କଠିନ ପରିଶ୍ରମ ଏବଂ କେବେ ବି ହାର ନମାନିବାର ଭାବନା ଉପରେ ଜୋର ଦେଇ ସଫଳ ହୋଇ ଚାଲିଛି ।