ପୁଣି ପାଣ୍ଡ୍ୟାଙ୍କ ବିସ୍ଫୋରଣ: ୫୫ ବଲରୁ ୧୫୮

ପୁଣି ପାଣ୍ଡ୍ୟାଙ୍କ ବିସ୍ଫୋରଣ: ୫୫ ବଲରୁ ୧୫୮

ପୁଣି ପାଣ୍ଡ୍ୟାଙ୍କ ବିସ୍ଫୋରଣ: ୫୫ ବଲରୁ ୧୫୮
ମୁମ୍ବାଇ: ଆହତରୁ ମୁକୁଳିବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ଜରିଆରେ ଭାରତୀୟ ଦଳକୁ ଫେରିବା ପାଇଁ ପ୍ରସ୍ତୁତ ହୋଇଯାଇଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନଭି ମୁମ୍ବାଇର ରିଲାଏନ୍ସ କର୍ପୋରେଟ୍ ପାର୍କଠାରେ ଆୟୋଜିତ ଡିୱାଇ ପାଟିଲ ଟ୍ୱେଣ୍ଟି-୨୦ କପରେ ବିସ୍ଫୋରଣ ଜାରି ରଖିଛନ୍ତି । ରିଲାଏନ୍ସ ୱାନ ଦଳ ପକ୍ଷରୁ ଖେଳୁଥିବା ପାଣ୍ଡ୍ୟା ପ୍ରଥମ ମ୍ୟାଚରେ ୨୫ ବଲରୁ ୩୮ ରନ୍ କରିବା ପରେ ଦ୍ୱିତୀୟ ମ୍ୟାଚରେ ଆରସିପି ବିପକ୍ଷରେ ୩୭ ବଲରୁ ଶତକ ସହ ୩୯ ବଲରୁ ୧୦୫ ରନର ବିସ୍ଫୋରକ ପାଳି ଖେଳି ନିଜ ପୁରୁଣା ଚମକର ଝଲକ ଦେଖାଇଥିଲେ । ଶୁକ୍ରବାର ପୁଣି ପାଣ୍ଡ୍ୟା ବିସ୍ଫୋରଣ ଦେଖିବାକୁ ମିଳିଛି । ବିପିସିଏଲ ବିପକ୍ଷ ଶୁକ୍ରବାର ସେମିଫାଇନାଲ ମ୍ୟାଚରେ ପାଣ୍ଡ୍ୟା ଛକା ବର୍ଷା କରି ୫୫ ବଲରୁ ୧୫୮ ରନରେ ଅପରାଜିତ ପାଳି ଖେଳିଛନ୍ତି । ତାଙ୍କର ଏହି ବିସ୍ଫୋରକ ପାଳିରେ ୬ ଚୌକା ଓ ୨୦ ଛକା ସାମିଲ ଥିଲା । ଆଉ ତାଙ୍କ ପାଳି ବଲରେ ରିଲାଏନ୍ସ ୱାନ ଦଳ ୨୦ ଓଭରରେ ୪ ୱିକେଟ ବିନିମୟରେ ୨୩୮ ରନ କରିଥିଲା । ହାର୍ଦ୍ଦିକ ବିପିସିଏଲର ସମସ୍ତ ବୋଲର (ସନ୍ଦୀପ ଶର୍ମା-୦/୩୭), ସିଲଭେଷ୍ଟର ଡି ସୁଜା-୧/୫୬, ଭାରତୀୟ ଦଳର ଅଲରାଉଣ୍ଡର ଶିଭମ ଦୁବେ ୧/୪୦, ପରିକ୍ଷିତ ଭାଲସାଙ୍ଗକର ୦/୨୮, ସାଗର ଉଦେଶୀ ୦/୪୫ ଓ ରାହୁଲ ତ୍ରିପାଠୀ- ୨/୩୨) ଙ୍କୁ ଧୂଲେଇ କରିଥିଲେ । ହେଲେ ଏହି ଦଳ ପକ୍ଷରୁ ଖେଳୁଥିବା ବାମହାତୀ ପ୍ରାରମ୍ଭିକ ବ୍ୟାଟସମ୍ୟାନ ଶିଖର ଧୱନ ମାତ୍ର ୩ ରନ୍ କରିଥିଲେ । ଜବାବରେ ବିପିସିଏଲ ୧୩୪ ରନରେ ସମସ୍ତ ୱିକେଟ ହରାଇଥିଲା । ରିଲାଏନ୍ସ ୱାନ ୧୦୪ ରନରେ ମ୍ୟାଚ ଜିତି ନେଇଥିଲା । ବିଜୟୀ ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ୱିକେଟ ନେଇଥିଲା ବେଳେ ଭାରତୀୟ ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମଧ୍ୟ ଗୋଟିଏ ୱିକେଟ ପାଇଥିଲେ ।