ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ କ୍ୟାମେରା
ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ କ୍ୟାମେରା
admin
Oct 10, 2019 - 08:29
Updated: Oct 10, 2019 - 08:29
ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ଏ ନେଇ ଗୋଇନ୍ଦା ବିଭାଗ ବିଭିନ୍ନ ସମୟରେ ରିପୋର୍ଟ ଦେଉଛି। ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ ଅଞ୍ଚଳ। ଏହା ମଧ୍ୟରେ ଫଟୋ ଉଠାଇବା, ଭିଡିଓ ଉତ୍ତୋଳନ କରିବା ସମ୍ପୂର୍ଣ୍ଣ ନିଷେଧ। ଏହାସତ୍ତ୍ବେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇ ମଙ୍ଗଳବାର ଶ୍ରୀମନ୍ଦିର ଉପରେ ଉଡିଛି ଡ୍ରୋନ। କିଛି ସମୟ ଡ୍ରୋନ୍ ଉଡ଼ିବା ଏବଂ ପୋଲିସ ଖୋଜିବାକୁ ଚେଷ୍ଟା କରି ବିଫଳ ହେବା ଘଟଣା ବଡ଼ଦେଉଳର ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି। ସକାଳେ ଏକ ଡ୍ରୋନ ମନ୍ଦିର ଉପରେ ଉଡୁଥିଲା। କେତେଜଣ ଭକ୍ତ ଦେଖିବା ପରେ ଏହା ପୋଲିସ ଓ ସେବାୟତଙ୍କ ନଜରକୁ ଆସିଥିଲା। ସେତେବେଳେ ଡ୍ରୋନ ଭିତର ବେଢା ଅଞ୍ଚଳ ଉପରେ ଉଡୁଥିଲା। ଏହାକୁ ଫଲୋ କରିବା ଲାଗି ଜଣେ ପୋଲିସ ଅଧିକାରୀ ଉତ୍ତର ଦ୍ୱାର ବାଟେ ବାହାରକୁ ଆସିଥିଲେ। ହେଲେ ଡ୍ରୋନଟି ଦକ୍ଷିଣ ଦ୍ୱାର ଉପର ଦେଇ ହରଚଣ୍ଡୀସାହି ଆଡ଼କୁ ପଳାଇଥିଲା। ଫଳରେ ପୋଲିସ ତା’ର ଟେର୍ ପାଇପାରି ନ ଥିଲା। ଶ୍ରୀମନ୍ଦିରରେ କାର୍ଯ୍ୟରତ ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ସକାଳେ ଏକ ଡ୍ରୋନ ଶ୍ରୀମନ୍ଦିର ଉପରେ ଉଚ୍ଚରେ ଉଡୁଥିଲା। ଡ୍ରୋନଟି ବହୁତ ଛୋଟ ଦେଖାଯାଉଥିଲା। ହୋ ହଲ୍ଲା ହେବା ପରେ ଏହି ଡ୍ରୋନଟି ହରଚଣ୍ଡୀସାହି ଆଡକୁ ପଳାଇଥିଲା। ଫଳରେ ଏହାକୁ ଠାବ କରାଯାଇ ପାରି ନ ଥିଲା।
ଅନ୍ୟପକ୍ଷରେ ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ରଞ୍ଜନ କୁମାର ମଲିକ କହିଛନ୍ତି, ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିଥିବା ଶୁଣିଛି, କିନ୍ତୁ ଏହାକୁ ଦେଖିନାହୁଁ। ରାତିରେ ମନ୍ଦିର ଉପରେ ଏକ ଲାଇଟ୍ ଦେଖି ଡ୍ରୋନ ଭାବି ଏହାକୁ ଫଲୋ କରିଥିଲୁ। କିନ୍ତୁ ଏହା ବାଣ ଲାଇଟ୍ ବୋଲି ଜଣାପଡ଼ିଥିଲା। ତଥାପି ପୋଲିସ ଏହା ଉପରେ ନଜର ରଖିଛି।