ପୁରୀକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ, କାରଣ କଣ ଜାଣନ୍ତୁ
ପୁରୀକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ, କାରଣ କଣ ଜାଣନ୍ତୁ
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଗତ ମେ’ ୫ରେ ଘୋଷିତ ତାଲାବନ୍ଦର ୫ମ ପର୍ଯ୍ୟାୟ ଅବଧି ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଶେଷ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଦନ କରିଛନ୍ତି । ଆଂଶିକ ଲକଡାଉନ ସରୁଥିବାରୁ ଶ୍ରୀ ମହାପାତ୍ର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । କୋଭିଡ ପରିଚାଳନା ନେଇ ସେ ସବିଶେଷ ତଥ୍ୟ ଦେଇଛନ୍ତି । ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଥିଲେ ହେଁ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ ୧ ଯାଏଁ ପୁଣି ଥରେ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଏଥିସହ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ବହୁ କଟକଣାକୁ ହ୍ରାସ କରାଯାଇଥିବା ନେଇ ସେ ଘୋଷଣା କରିଛନ୍ତି ।
ତେବେ ଏହି ଘୋଷଣା ଅବସରରେ ଶ୍ରୀ ମହାପାତ୍ର ଲୋକମାନଙ୍କୁ ଚେତେଇ ମଧ୍ୟ ଦେଇଛନ୍ତି । ଏଯାଏଁ ବିପଦ ସମ୍ପୂର୍ଣ୍ଣ ଯାଇନି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଡବଲ ଡୋଜ ଟିକା ନେଲା ପରେ ବି ପଜିଟିଭ ବାହାରୁଛନ୍ତି । ବିଶେଷ କରି ଭୁବନେଶ୍ୱରରେ ଡବଲ ଡୋଜ ପରେ ପଜିଟିଭ ବାହାରୁଛି । ସେମାନେ ଗୁରୁତର ହେଉନଥିଲେ ବି ଅନ୍ୟଙ୍କୁ ସଂକ୍ରମିତ କରିପାରିବେ । ଏଯାଏଁ ବିପଦ ଯାଇନି, ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ଯେତେ ସମୟ ବାହାରେ ରହିବା ମାସ୍କ ପିନ୍ଧିବା ଓ ନିୟମ ମାନିବା । ଉଲ୍ଲଂଘନକାରୀଙ୍କ ପ୍ରତି ନଜର ରଖିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ନିୟମ ଯେଉଁଠି ପାଳନ ହେଉନଥିବା ସେଠାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକ ପଡ଼ିଲେ ସିଲ କରାଯିବ ଓ ଲାଇସେନ୍ସ ବାତିଲ କରାଯିବ ।
ପ୍ରକାଶ ଯେ, କାଟେଗୋରୀ ‘ଏ’ରେ ଏଣିକି ରାତି ୮ଟା ଯାଏଁ ଦୋକାନ ଖୋଲିବ । କାଟେଗୋରୀ ‘ଏ’ରେ ସପ୍ତାହକ ୭ ଦିନ ଦୋକାନ ବଜାର ଖୋଲାରହିବ । ସେହିପରି କାଟେଗୋରୀ ‘ବି’ରେ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ । କାଟେଗୋରୀ ‘ବି’ରେ ସପ୍ତାହରେ ୫ ଦିନ ଦୋକାନ ବଜାର ଖୋଲିବ । ତେବେ କାଟେଗୋରୀ ‘ବି’ରେ ନାଇଟ କର୍ଫୁ୍ୟ ବଳବତ୍ତର ରହିବ । କାଟେଗୋରୀ ‘ବି’ରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ ।
ସେହିପରି ଏଣିକି ସାରା ରାଜ୍ୟରେ ବସ ସେବା ଚାଲୁ ରହିବ । ବସରେ ଯେତିକି ସିଟ ସେତିକି ଲୋକ ଯିବାକୁ ଅନୁମତି ମିଳିବ । କେବଳ ପୁରୀକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ କରାଯାଇଛି । ଟ୍ୟାକ୍ସି ଓ ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିପାରିବ । ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଟ୍ୟାକ୍ସି ଓ ଅଟୋ ଚାଲିବ ।
ଏହାଛଡ଼ା ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ ଓ ସେଲୁନ ଆସନ୍ତାକାଲି ଠାରୁ ଖୋଲିବ । ବିନା ଦର୍ଶକରେ ଆଉଟଡୋର ସ୍ପୋର୍ଟସକୁ ସରକାର ଅନୁମତି ଦେଇଛନ୍ତି । ସାରା ରାଜ୍ୟରେ ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂକୁ ଅନୁମତି ଦିଆଯାଇଛି ।
ପାର୍କ, ମଲ, ସିନେମା ହଲ, ମେଳା, ପ୍ରଦର୍ଶନୀ ଓ ଯାତ୍ରା ବନ୍ଦ ରହିବ । ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ । ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ । ବାର ବନ୍ଦ ରହିବ । ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ । କାଟେଗୋରୀ ‘ବି’ ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।