ପ୍ରଧାନମନ୍ତ୍ରୀଙ୍କ ସେନା ପରିପାଟୀକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ
ପ୍ରଧାନମନ୍ତ୍ରୀଙ୍କ ସେନା ପରିପାଟୀକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ
admin
Nov 17, 2020 - 08:18
Updated: Nov 17, 2020 - 08:18
ନୂଆଦିଲ୍ଲୀ : ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନା ପୋଷାକ ପିନ୍ଧି ଯବାନ ମାନଙ୍କ ସହିତ ଦୀପାବଳି ମନାଇଥିଲେ । ଏହାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ପ୍ରଶ୍ନବାଚୀ ସୃଷ୍ଟି କରାଯାଇଛି । ମୋଦି ଏହି ସମ୍ମାନୀୟ ପୋଷାକ ପିନ୍ଧିବାର ହକଦାର ନୁହନ୍ତି ବୋଲି ଯୁବ କଂଗ୍ରେସ ପକ୍ଷରୁ ଟ୍ୱିଟ କରାଯାଇଛି । ମୋଦି ସେନାମୁଖ୍ୟ ନୁହନ୍ତି କିମ୍ବା ସେନାର ଅଧିକାରୀ ଅଥବା ଯବାନ ନୁହନ୍ତି । ଜଣେ ରାଜନେତା ସେନାର ପରିପାଟୀ ପରିଧାନ କରିବା ଦ୍ୱାରା ଏହି ପୋଷାକର ଗାରିମା ହାନି କରିଛନ୍ତି ବୋଲି ଯୁବ କଂଗ୍ରେସ ପକ୍ଷରୁ ଟ୍ୱିଟ କରାଯାଇଛି ।
କ୍ରମାଗତ ସପ୍ତମ ଥର ପାଇଁ ଭାରତୀୟ ଯବାନଙ୍କ ସହିତ ଦୀପାବଳି ମନାଇଥିଲେ ମୋଦି । ଚଳିତ ବର୍ଷ ରାଜସ୍ଥାନର ଜୈସଲମେରରେ ରହିଥିବା ବିଏସଏଫ୍ ଯବାନଙ୍କ କ୍ୟାମ୍ପରେ ମୋଦି ଦୀପାବଳି ମନାଇଥିଲେ । ଏହି କାର୍ଯ୍ୟକ୍ରମର ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।
କଂଗ୍ରେସର ଆଉ ଜଣେ ନେତା ତାରିକ ଅନୱର ମୋଦିଙ୍କୁ ବହୁରୂପୀ ବୋଲି କହିଛନ୍ତି । ବହୁରୂପୀ ଏଣ୍ଡୁଅ ପରି ମୋଦି ବିଭିନ୍ନ ସମୟରେ ନିଜର ପୋଷାକ ବଦଳାଇଥାନ୍ତି । ଦେଶ ଏକାଧିକ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛି । ତେବେ ଜଣେ ବହୁରୂପୀ ପ୍ରଧାନମନ୍ତ୍ରୀଙ୍କୁ ଦେଶ ପ୍ରଥମ ଥର ପାଇଁ ଦେଖୁଛି । ୧୦ ଲକ୍ଷର ସୁଟ ପିନ୍ଧି କେବେ ନିଜକୁ ସାହେବ ତ କେବେ ଚୌକିଦାର, ପ୍ରଧାନ ସେବକ ଅ୍ଧମ ସାଧୁ ଭାବରେ ଅଭିହିତ କରିଛନ୍ତି ମୋଦି । ସୋମବାର ଏପରି ଟ୍ୱିଟ କରି ମୋଦିଙ୍କ ସେନା ପୋଷାକ ପରିଧାନକୁ ସମାଲୋଚନା କରିଥିଲେ ତାରିକ ଅନୱର ।