ପ୍ରମାଣ ଦିଅ, ଇସ୍ତଫା ଦେବି

ପ୍ରମାଣ ଦିଅ, ଇସ୍ତଫା ଦେବି

ପ୍ରମାଣ ଦିଅ, ଇସ୍ତଫା ଦେବି

ଭୁବନେଶ୍ୱର: ବହୁ ବାଦ ବିବାଦ, ଅଭିଯୋଗ, ଆନ୍ଦୋଳନ ପରେ ଶେଷରେ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ତାଙ୍କୁ ନେଇ ଉଠିଥବା ସବୁ ଅଭିଯୋଗ ମିଛ ବୋଲି କହିବା ସହ ମମିତାଙ୍କ ମୃତ୍ୟୁ ନେଇ ଦୁଃଖ ବ୍ୟକ୍ତ କରିଛନ୍ତି। ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା କହିବା ସହ ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ କିଛି ଗଣମାଧ୍ୟମ ଓ ବିରୋଧୀ ଅଭିଯାନ ଚଳାଇଛନ୍ତି। ଏଭଳି ମିଛ ଅଭିଯୋଗ ନ କରି ପ୍ରମାଣ ଥିଲେ ଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।

ବିରୋଧୀଙ୍କ ଘନଘନ ଆକ୍ରମଣ ପରେ ଆଜି ପ୍ରେସ ବିବୃତି ଜରିଆରେ ନିଜ ପକ୍ଷ ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର। କହିଛନ୍ତି, ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ଭାବେ ମର୍ମାହତ। ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଆଇନ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ। ହେଲେ ଏହି ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ସେ କହିଛନ୍ତି।

ଦିବ୍ୟଶଙ୍କର କହିଛନ୍ତି,ମା'ମାଣିକେଶ୍ୱରୀଙ୍କ ନାଁରେ ଶପଥ କରୁଛି, ଏହି ଅପରାଧ ସହ ମୋର କୌଣସି ବି ସମ୍ପର୍କ ନାହିଁ। ବିରୋଧୀ ଦଳ ଓ କିଛି ଗଣମାଧ୍ୟମ ଉଦ୍ଦେଶ୍ୟରେ ମନ୍ତ୍ରୀ କହିଛନ୍ତି, ଯଦି ଏହି ଘଟଣାରେ ମୋ' ବିରୁଦ୍ଧରେ କିଛି ବି ପ୍ରମାଣ ଅଛି, ତେବେ ପୋଲିସ କିମ୍ବା କୋର୍ଟରେ ଦାଖଲ କରନ୍ତୁ। ମୁଁ କେବଳ ମୋ ପଦରୁ ଇସ୍ତଫା ଦେବିନି, ବରଂ ସାଧାରଣ ଜୀବନରୁ ସନ୍ୟାସ ନେବି। ବାୟୁସେନାର ଆଦର୍ଶ ନେଇ ମୁଁ ରାଜନୀତିକୁ ଆସିଛି। ମୁଁ ନିଜେ ପଛେ କ୍ଷତି ସହିବି, ଅନ୍ୟ କାହାରିକୁ ଦୁଃଖ ଦେବିନି।

ସେ ଆହୁରି କହିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ୟକ୍ତିଗତ ସ୍ତରରେ ନିନ୍ଦିତ କରାନଯାଉ। ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ କାର୍ୟ୍ୟକ୍ରମରେ ଯୋଗଦେବା ସଂପର୍କରେ ସ୍ପଷ୍ଟୀକରଣ ଦେବାକୁ ଯାଇ ସେ କହିଛନ୍ତି, ଜନ ପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ୟ୍ୟକ୍ରମରେ ଯୋଗ ଦିଅନ୍ତି। ମୁଁ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନ କାର୍ୟ୍ୟକ୍ରମରେ ଯୋଗଦେଇଥାଏ ଓ ସେଠି ପରେ କିଛି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ।

ମନ୍ତ୍ରୀ କହିଛନ୍ତି, କିଛିି ନିଦ୍ଦିଷ୍ଟ ଗଣମାଧ୍ୟମ ଏବଂ କିଛି ବିରୋଧୀ ରାଜନୈତିକ ଦଳ ଦ୍ୱାରା ତାଙ୍କ ବିରୋଧରେ ଚଳାଯାଉଥିବା ବଦନାମ ଅଭିଯାନ ଓଡ଼ିଶାରେ ଏକ ଖରାପ ରାଜନୈତିକ ପରଂପରା ସୃଷ୍ଟି କରିଛି। ଏଭଳି ଅଭିଯାନ ମୋ ପରିବାରକୁ ପ୍ରଭାବିତ କରୁଥିବାରୁ ମୁଁ ଏହି ମନ୍ତବ୍ୟ ଦେବାର ଆବଶ୍ୟକତା ଅନୁଭବ କଲି। ହତ୍ୟାକାଣ୍ଡର ୨୨ ଦିନ ପରେ ମନ୍ତ୍ରୀ କ୍ୟାପଟେନ ମିଶ୍ର ଆଜି ମୁହଁ ଖୋଲିଛନ୍ତି।