୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା କଂଗ୍ରେସ ଟିକେଟ !
୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା କଂଗ୍ରେସ ଟିକେଟ !
admin
Dec 6, 2019 - 13:58
Updated: Dec 6, 2019 - 13:58
ଭୁବନେଶ୍ୱର : କଂଗ୍ରେସ ଟିକେଟ ପାଇଁ ହୋଇଥିଲା ଟଙ୍କା କାରବାର । ଟିକେଟ ଦେବା ପାଇଁ ଜଣେ ପୂର୍ବତନ ଜିଲ୍ଲା ସଭାପତି ୨୦ ଲକ୍ଷ ଟଙ୍କା ନେଇଥିଲେ । ଏକଥା ଆମେ ନୁହଁ, ଗତ ନିର୍ବାଚନରେ ଉପକୂଳ ଓଡ଼ିଶାରୁ ପ୍ରାର୍ଥୀ ହୋଇଥିବା ଜଣେ କଂଗ୍ରେସ ନେତା ପ୍ରକାଶ କରିଛନ୍ତି । ଯାହାକୁ ନେଇ କଂଗ୍ରେସ ଅଳିନ୍ଦରେ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରଥମ ଥର ପାଇଁ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି । ବିରୋଧୀ ଦଳ ହେବାର ମାନ୍ୟତା ବି ହରାଇଛି । ନିର୍ବାଚନ ବେଳେ ଟିକେଟ ବଂଟନକୁ ନେଇ ଅନେକ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଥିବାବେଳେ ଏବେ ଟଙ୍କା କାରବାର ଘଟଣା କଂଗ୍ରେସ ଅଳିନ୍ଦକୁ ସରଗରମ କରିଦେଇଛି ।
ମିଳିଥିବା ସୂଚନାନୁଯାୟୀ ଏକ ସାଂଗଠନିକ ସଭାରେ ଉଦବୋଧନ ଦେବା ବେଳେ ପ୍ରାର୍ଥୀ ଜଣଙ୍କ ଏମିତି ସତ ଉଗାଳି ଦେଇଛନ୍ତି । ତାଙ୍କର ସାଂଗଠନିକ ଦକ୍ଷତା ଥିଲେ ବି ଟିକେଟ ମିଳିବାର ସମ୍ଭାବନା ନଥିବାରୁ ସେ ବାଧ୍ୟ ହୋଇ ୨୦ ଲକ୍ଷ ଟଙ୍କା ଦେଇଥିଲେ । କଂଗ୍ରେସର ଜଣେ ପୂର୍ବତନ ଜିଲ୍ଲା ସଭାପତି ହିଁ ଟିକେଟ କରାଇଦେବା ପାଇଁ ତାଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇଥିଲେ ବୋଲି ସଂପୃକ୍ତ ନେତା ଜଣଙ୍କ ପ୍ରକାଶ କରିଛନ୍ତି ।
ବିଜେଡ଼ିର ଜଣେ ତୁଙ୍ଗ ନେତାଙ୍କ ବିରୋଧରେ ଉପକୂଳ ଓଡ଼ିଶାରୁ ସେ ପ୍ରାର୍ଥୀ ହୋଇଥିଲେ । ଯେଉଁ ନେତା ଜଣଙ୍କ ଏବେ ବିଜେଡ଼ିର ମନ୍ତ୍ରୀ ବି ହୋଇଛନ୍ତି । ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ସତ୍ୱେ କଂଗ୍ରେସ ପ୍ରାର୍ଥୀ ବେଶ ଭଲ ଭୋଟ ପାଇବାରେ ସକ୍ଷମ ହୋଇଥିଲେ । କିନ୍ତୁ ଟଙ୍କା ଦେଇ ଟିକେଟ ପାଇଥିବାରୁ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।