ନବୀନ-ମୋଦି ମେଂଟ : ବିଜେପି ଓ ବିଜେଡ଼ି ନେତା ତାଜୁବ

ନବୀନ-ମୋଦି ମେଂଟ : ବିଜେପି ଓ ବିଜେଡ଼ି ନେତା ତାଜୁବ

ନବୀନ-ମୋଦି ମେଂଟ : ବିଜେପି ଓ ବିଜେଡ଼ି ନେତା ତାଜୁବ
ଭୁବନେଶ୍ୱର : ନିର୍ବାଚନ ବେଳେ ବିଜେପି ଓ ବିଜେଡ଼ି ମଧ୍ୟରେ ଚାଲିଥିଲା କାଦୁଅ ଫିଙ୍ଗା ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଜୋରଦାର ବର୍ଷିଥିଲେ । ତେବେ ନିର୍ବାଚନରେ ଉଭୟ ମୋଦି ଓ ନବୀନ ଶାସନକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିଘନ ହୋଇଛି । ଯାହା ଏବେ ବିଜେଡ଼ି ଓ ବିଜେପି ନେତାଙ୍କୁ ଚକିତ କରିଦେଇଛି । ନବୀନ ସରକାରକୋ ଉଖାଡ଼କେ ଫେଙ୍କ ଦୋ, ପୋଡ଼ା ଟ୍ରାନ୍ସଫର୍ମର, ମିଶନ ୧୨୦, ଅବକି ବାର ଓଡ଼ିଶାମେଁ ବିଜେପି ସରକାର ଏମିତି ଅନେକ ସଂକଳ୍ପ ଓ ନାରା ଦେଇଥିଲା ବିଜେପି । ନବୀନଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗକୁ ବି ଦଳ ହାତଛଡ଼ା କରିନଥିଲା । ଅପରପକ୍ଷରେ ନିର୍ବାଚନୀ ପର୍ଯ୍ୟଟକ କହି ମୋଦି ଓ ଶାହାଙ୍କୁ ସମାଲୋଚନା କରିଥିଲେ ନବୀନ । ଏଥର ଆମେ କେନ୍ଦ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବୁ ବୋଲି କହିଥିଲେ । କିନ୍ତୁ ନିର୍ବାଚନରେ ଲୋକସଭାରେ ବିଜେପି ଓ ବିଧାନସଭାରେ ବିଜେଡ଼ି ଏକପାଖିଆ ବିଜୟ ହାସଲ କରିଥିଲେ । ତେବେ ବିଜେପିର ଭୋଟ ବଢ଼ିଥିବାରୁ ଦଳ ଏବେଠାରୁ ୨୦୨୪ ପାଇଁ ଅଙ୍କ କଷା ଆରମ୍ଭ ହୋଇଯାଇଥିଲା । ନବୀନଙ୍କୁ ଘେରିବା ପାଇଁ ଧିରେଧିରେ ଯୋଜନା ବି ହେଉଥିଲା । କିନ୍ତୁ ରାଜ୍ୟସଭା ନିର୍ବାଚନ ଗଣିତ ଉଭୟ ଦଳର ନେତାଙ୍କୁ ଚକିତ କରିଦେଇଛି । ବିଜେଡ଼ିର ୧୧୨ ବିଧାୟକ ଅଛନ୍ତି । ଭିନ୍ନଭିନ୍ନ ନିର୍ବାଚନ ହେଉଥିବାରୁ ରାଜ୍ୟସଭାର ୩ ଆସନ ବିଜେଡ଼ି ନେବା ନିଶ୍ଚିତ ଥିଲା । ଅନ୍ୟ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବା ସ୍ଥିତିରେ ମଧ୍ୟ ନାହିଁ । ଫଳରେ ବିଜେଡ଼ି ଅପ୍ରତିତ୍ୱନ୍ଦ୍ୱୀ ଭାବେ ୩ ରାଜ୍ୟସଭା ଆସନ ହାସଲ କରିଥା’ନ୍ତା । କିନ୍ତୁ ନବୀନଙ୍କ ଦିଲ୍ଲୀ ଗସ୍ତ ପରେ ଗଣିତ ବଦଳି ଯାଇଛି । ବିଜେପିର ଆବଶ୍ୟକୀୟ ସଂଖ୍ୟା ନଥିଲେ ବି ବିଜେପି ହାତକୁ ଗୋଟିଏ ଆସନ ଟେକି ଦେଇଛି ବିଜେଡ଼ି । ସାଧାରଣତଃ ମେଂଟ ରାଜନୀତିରେ ଏମିତି ହୋଇଥାଏ । ନିଜ ମେଂଟଭୁକ୍ତ ଦଳର ଆବଶ୍ୟକୀୟ ସଂଖ୍ୟା ନଥିଲେବି ଆସନ ଛାଡ଼ିବାର ନଜିର ରହିଛି । କିନ୍ତୁ ଓଡ଼ିଶାରେ ସେଭଳି ସ୍ଥିତି ନାହିଁ । ତଥାପିବି ବିଜେପିକୁ ଗୋଟିଏ ଆସନ ଛାଡ଼ିବା ପଛରେ ଏକ ରଣନୀତି ରହିଛି ବୋଲି ଚର୍ଚ୍ଚା ହେଉଛି । ବିଜେପି ଓ ବିଜେଡ଼ି, ନବୀନ ଓ ମୋଦିଙ୍କ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ମଧୁର ହେବାରେ ଲାଗିଛି । ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବା ପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଫୋନ କରିବା ଘଟଣାକୁ ହାଲକାରେ ନିଆଯାଇପାରିବ ନାହିଁ । ମାତ୍ର ୨୩ ବିଧାୟକ ଥିବା ସତ୍ୱେ ବିଜେପି ଏଭଳି ରିସ୍କ ନେବବୋଲି ଭାବିବା ବୋକାମୀର ପରିଚୟ ହେବ । ନବୀନଙ୍କ ପୂର୍ବରୁ ବିଜେପି ପ୍ରଥମେ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଅର୍ଥାତ୍ ଏନେଇ ଦିଲ୍ଲୀରେ କିଛି ଦଫା ଆଲୋଚନା ହୋଇଛି ଓ ଯେଉଁଥିପାଇଁ ବିଜେପି ଅଶ୍ୱିନୀଙ୍କୁ ପ୍ରାର୍ଥୀ କରିଛି । ଔପଚାରିକ ଭାବେ ଓଡ଼ିଶାରେ ନବୀନ ଏନେଇ ଘୋଷଣା ହିଁ କରିଛନ୍ତି । ଫଳରେ ଆଗାମୀ ଦିନରେ ବିଜେପି ଓ ବିଜେଡ଼ି ରାଜନୀତି କେଉଁ ଦିଗ ଦେଇ ଗତି କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।