ବଜ୍ରକାପ୍ତା ଚୋରାଚାଲାଣରେ ଆଠଗଡ କଲା ରେକର୍ଡ

ବଜ୍ରକାପ୍ତା ଚୋରାଚାଲାଣରେ ଆଠଗଡ କଲା ରେକର୍ଡ

ବଜ୍ରକାପ୍ତା ଚୋରାଚାଲାଣରେ ଆଠଗଡ କଲା ରେକର୍ଡ
ଆଠଗଡ଼/ଭୁବନେଶ୍ୱର - ବଜ୍ରକାପ୍ତା ଚୋରାଚାଲାଣରେ ଆଠଗଡ କଲା ରେକର୍ଡ । ଏହାର କାତିରେ ତିଆରି ହେଉଛି ଭିନ୍ନ ଭିନ୍ନ ପ୍ରକାରର ଔଷଧ ଓ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ । ଏହାର ବଳୁଳ ଭାବରେ ଡିମାଣ୍ଡ ରହିଛି ବିଦେଶରେ। ଖାସ୍ ସେଥିପାଇଁ ରାଜ୍ୟରେ ବଢ଼ିଚାଲିଛି ବଜ୍ରକାପ୍ତାର ବେଆଇନ ବେପାର। କେଉଁମାନେ ଏହି ବେଆଇନ କାରବାରର କାର୍ପଟଦାର ? ତାହା ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ଆସନ୍ତୁ ଜାଣିବା ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ତେବେ କେମିତି ହେଉଛି ବଜ୍ରକାପ୍ତା ଚାଲାଣ ପାଇଁ ଡିଲ୍ ? ଡିସେମ୍ବର ୨। ଆଠଗଡ଼ ଅଞ୍ଚଳରୁ ଧରାପଡ଼ିଥିଲେ ବଜ୍ରକାପ୍ତା ଚାଲାଣକାରୀ ଶ୍ୱଶୁର-ଜ୍ୱାଇଁ । ଏହାର ୫ ଦିନ ପରେ ଅର୍ଥାତ ଆଜି ପୁଣି ଧରାହେଲେ ୩ ଜଣିଆ ଗ୍ୟାଙ୍ଗ।। ଯାହାଙ୍କ ଠାରୁ ମିଳିଛି ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ଇତ୍ୟାଦି । କିନ୍ତୁ ବଜ୍ରକାପ୍ତା ସହ ଖସିଯାଇଛି ଗ୍ୟାଙ୍ଗର କିଙ୍ଗ୍ ପିନ୍ । ହେଲେ ଧରାପଡ଼ିଥିବା ଏମାନେ ହେଉଛନ୍ତି ଜଣେ ଜଣେ କୁଖ୍ୟାତ ଚୋରାଚାଲାଣକାରୀ । ଯାହାଙ୍କ ଡିଲ୍ ତାଜୁବ୍ କଲା ଭଳି । ଜଙ୍ଗଲ ଭିତରେ ଚାଲିଛି ଜଙ୍ଗଲି ଜନ୍ତୁର ଡିଲ୍ । ନିରୀହ ସ୍ତନ୍ୟପାୟୀ ପ୍ରାଣୀକୁ ବିକ୍ରି ପାଇଁ ମାଫିଆ ତିଆରି କରୁଛନ୍ତି ଭିଡ଼ିଓ । ଆଉ ଭିଡ଼ିଓରେ ଦେଖାଉଛନ୍ତି ବଜ୍ରକାପ୍ତାର ରୂପରେଖ। ତେବେ ଏହି ବିଲୁପ୍ତ ପ୍ରାୟ ପ୍ରାଣୀର କାହିଁକି ଏତେ ଡିମାଣ୍ଡ ? କାହିଁକି ଚୋରାଚାଲାଣ ହେଉଛି ବଜ୍ରକାପ୍ତା ? ଚୀନ୍ ଗଣମାଧ୍ୟମର ରିପୋର୍ଟ କହୁଛି, ବଜ୍ରକାପ୍ତା କାତିରେ ତିଆରି ହୋଇଥାଏ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ । ଯାହା ଗୁଳି ବାଜିଲେ କିମ୍ବା କୌଣସି କ୍ଷତିଗ୍ରସ୍ତ ହେଲେ ସାମାନ୍ୟ ପାଣି ପକାଇଦେଲେ ପାଞ୍ଚ ମିନିଟ୍ ମଧ୍ୟରେ ପୂର୍ବବସ୍ଥାକୁ ଫେରିଆସେ। କେବଳ ସେତିକି ନୁହେଁ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଚୀନ୍, ଭିଏତନାମ୍, ମଙ୍ଗୋଲିଆ ପ୍ରଭୃତି ଦେଶରେ ବଜ୍ରକାପ୍ତା କାତି ଓ ମାଂସକୁ ଔଷଧ ତଥା ଖାଦ୍ୟ ରୂପେ ବ୍ୟବହାର କରାଯାଏ । ବଜ୍ରକାପ୍ତା ଶାନ୍ତ ଶିଷ୍ଟ ପ୍ରାଣୀ ହୋଇଥିବାରୁ ଏହାକୁ ଚାଲାଣ କରିବାରେ ମାଫିଆଙ୍କ ପାଇଁ ସହଜ ହୁଏ । ବିଶ୍ୱରେ ସର୍ବାଧିକ ଚୋରା ଚାଲାଣ ହେଉଥିବା ପ୍ରାଣୀଙ୍କ ମଧ୍ୟରେ ବଜ୍ରକାପ୍ତା ଅନ୍ୟତମ । ୩ଟି ପ୍ରଜାତିର ବଜ୍ରକାପ୍ତା ମଧ୍ୟରୁ ଭାରତରେ ବୃହତ ଆକାରର ବଜ୍ରକାପ୍ତା ମିଳୁଥିବାରୁ ତା ଉପରେ ମାଫିଆଙ୍କ ଆଖି ରହିଛି । ତେବେ ଏଭଳି ନିରୀହ ଜୀବର ଚୋରାଚାଲାଣ ବର୍ତ୍ତମାନ ଓଡ଼ିଶାରେ ଉଦ୍ବେଗଜନକ ହାରରେ ବଢ଼ୁଥିବାରୁ ଏହାକୁ କେମିତି ରୋକାଯାଇପାରିବ, ତାହା ସବୁଠୁ ବଡ଼ ଚ୍ୟାଲେଞ୍ଜ ।