ବଡ ଧରଣର ଆତଙ୍କୀ ଯୋଜନା ପଣ୍ଡ : ୨ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ବଡ ଧରଣର ଆତଙ୍କୀ ଯୋଜନା ପଣ୍ଡ : ୨ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ବଡ ଧରଣର ଆତଙ୍କୀ ଯୋଜନା ପଣ୍ଡ : ୨ ଆତଙ୍କବାଦୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଏକ ବଡ ଧରଣର ଆତଙ୍କୀ ହମଲାକୁ ପଣ୍ଡ କରି ଦେଇଛି । ପୋଲିସ ଦୁଇ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗିରଫ କରିଛି । ଉଭୟ ଆତଙ୍କୀ ଜମ୍ମୁ କାଶ୍ମୀରର ବାସିନ୍ଦା ହୋଇଥିବା ବେଳେ ଦିଲ୍ଲୀର ସରାଇ କାଲେ ଖାଁ ଅଞ୍ଚଳରୁ ଉଭୟଙ୍କୁ ଗିରଫ କରାଯାଇଛି । ସୋମବାର ରାତିରେ ସ୍ୱତନ୍ତ୍ର ସେଲ ପକ୍ଷରୁ ଉଭୟ ଆତଙ୍କୀକୁ ଗିରଫ କରାଯାଇଥିଲା । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଦୁଇ ଆତଙ୍କୀଙ୍କୁ ଧରିବାର ଜାଲ ବିଛାଇଥିଲା ପୋଲିସ । ଉଭୟଙ୍କୁ କାଲେ ଖାଁ ଅଞ୍ଚଳରେ ରହିଥିବା ମିଲେନିୟମ ପାର୍କ ନିକଟରୁ ଗିରଫ କରାଯାଇଥିଲା । ରାତି ପ୍ରାୟ ୧୦.୧୫ରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ଦୁଇ ଆତଙ୍କୀଙ୍କୁ ଜୀବନ୍ତ ଧରାଯାଇଥିଲା । ଦୁଇ ଆତଙ୍କୀଙ୍କ ପରିଚୟ ମିଳିଥିବା ବେଳେ ଉଭୟ କାଶ୍ମୀରର ବାସିନ୍ଦା । ଅବଦୁଲ ଲତିଫ ମିର(୨୨) ବାରାମୁଲ୍ଲାର ଡୋରୁ ଗ୍ରାମର ବାସିନ୍ଦା ବୋଲି ତଦନ୍ତରୁ ଜଣାପଡିଛି । ଅନ୍ୟତମ ଆତଙ୍କୀ ହେଉଛି ୨୦ ବର୍ଷୀୟ ମହମ୍ମଦ ଅଶ୍ରଫ ଖାତନା । ଖାତନା କୁପୱାରା ଜିଲ୍ଲାର ହାଟମୁଲ୍ଲା ଗ୍ରାମର ବାସିନ୍ଦା । ଉଭୟଙ୍କୁ ପୋଲିସ ପକ୍ଷରୁ ପଚରା ଉଚୁରା ଜାରି ରହିଛି । ଉଭୟଙ୍କ ନିକଟରୁ ଦୁଇଟି ସେମି ଅଟୋମେଟିକ ପିସ୍ତଲ ସହିତ ୧୦ଟି ଜୀବନ୍ତ ଗୁଳି ଜବତ କରାଯାଇଛି ।