ଆଜିଠୁ ସଂସଦର ଶୀତ ଅଧିବେଶନ
ଆଜିଠୁ ସଂସଦର ଶୀତ ଅଧିବେଶନ
admin
Nov 18, 2019 - 05:02
Updated: Nov 18, 2019 - 05:02
ନୂଆଦିଲ୍ଲୀ : ଆଜିଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେଉଛି । ନଭେମ୍ବର ୧୮ରୁ ଡିସେମ୍ବର ୧୩ ଯାଏଁ ଚାଲିବା ଏହି ଅଧିବେଶନ । ଏହି ଅଧିବେଶନରେ ସରକାର ୨୨ଟି ବିଲ୍ ଆଗତ କରିବା ସହ ସମସ୍ତ ବିଲକୁ ଗୃହୀତ କରିବାର ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ, କାଶ୍ମୀର ପ୍ରସଙ୍ଗ, ରାଫେଲ ଡିଲ, ଆର୍ଥିକ ମାନ୍ଦାବସ୍ଥା, ଦରଦାମ ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ଏହା ପୂର୍ବରୁ ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳମାନେ ଫାରୁକ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରାଯାଇଥିବା ପ୍ରଶ୍ନ କରିଥିଲେ। ଫାରୁକ ହେପାଜତରେ ଥିବାରୁ ସେ କେଉଁଭଳି ଭାବେ ଅଧିବେଶନରେ ଯୋଗ ଦେବେ ଏହା ସରକାର ସୁନିଶ୍ଚିତ କରାନ୍ତୁ ବୋଲି ବିରୋଧୀମାନେ ଦାବି କରିଥିଲେ।
ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ଅଧ୍ୟକ୍ଷ ଅମିତ୍ ଶାହ, କେନ୍ଦ୍ରମନ୍ତ୍ରୀ ଥଓ୍ବରଚନ୍ଦ ଗେହଲଟ, ରାଜ୍ୟ ସଭାରେ ବିରୋଧୀ ଦଳ ଉପନେତା ଆନନ୍ଦ ଶର୍ମା, ଟିଏମ୍ସି ନେତା ଡେରେକ୍ ଓ ବ୍ରିଏନ, ଏଲଜେପିରୁ ଚିରାଗ ପାଶ୍ୱାନ, ସମାଜବାଦୀ ପାର୍ଟିରୁ ରାମଗୋପାଳ ଯାଦବ, ଟିଡିପିରୁ ଜୟଦେବ ଗାଲ୍ଲା ଏବଂ ଭି. ବିଜୟସାଇ ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ। ସରକାରଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏବଂ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘଓ୍ବାଲ ବୈଠକ ଡାକିଥିଲେ। ଶନିବାର ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ସର୍ବଦଳୀୟ ବୈଠକରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସମସ୍ତଙ୍କର ସହଯୋଗ ନିମନ୍ତେ ଅନୁରୋଧ କରିଥିଲେ।
ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସରକାର ନାଗରିକତ୍ୱ (ସଂଶୋଧନ) ବିଲ୍, ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍ ସମେତ ୩୫ଟି ବିଧେୟକ ଆଣିବାକୁ ଯୋଜନା କରିଛନ୍ତି। ଏହା ବ୍ୟତୀତ ଇ-ସିଗାରେଟ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ଲାଗି ବିଲ୍ ଆସିବାକୁ ଥିବାବେଳେ ଟ୍ରାନ୍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍, ଶିଳ୍ପ ସମ୍ପର୍କ କୋଡ୍ ବିଲ୍, ଟିକସ ଆଇନ ସଂଶୋଧନ ବିଲ୍, କମ୍ପାନୀ (ଦ୍ୱିତୀୟ ସଂଶୋଧନ) ବିଲ୍, ଚିଟ୍ଫଣ୍ଡ (ସଂଶୋଧନ) ବିଲ୍, ନ୍ୟାଶନାଲ କମିଶନ ଫର୍ ଇଣ୍ଡିଆନ ସିଷ୍ଟମ୍ ଅଫ୍ ମେଡିସିନ୍ ବିଲ୍, ସରୋଗେସି (ନିୟନ୍ତ୍ରଣ) ବିଲ୍ ଏବଂ ଜାଲିଆନାଓ୍ବାଲା ବାଗ୍ ଜାତୀୟ ସ୍ମାରକୀ (ସଂଶୋଧନ) ବିଲ୍ ଆଦି ଅଣାଯିବ।