ବର୍ଷା ଧୋଇଦେଲା ବିଶ୍ଵକପ ହକି ମ୍ୟାଚ
ବର୍ଷା ଧୋଇଦେଲା ବିଶ୍ଵକପ ହକି ମ୍ୟାଚ
ଭୁବନେଶ୍ୱର: ଜୁନିୟର ବିଶ୍ୱକପ ହକିରେ ବର୍ଷା ବାଧକ ସାଜିଛି । ବର୍ଷା ପାଇଁ ଆଜି ଖେଳା ଯିବାକୁ ଥିବା ପ୍ରଥମ ମ୍ୟାଚକୁ ସ୍ଥଗିତ ରଖାଯାଇଛି । ସ୍ପେନ-ମାଲେସିଆ ମଧ୍ୟ ଆଜି ଖେଳାଯିବାକୁ ଥିବା ମ୍ୟାଚକୁ ସ୍ଥଗିତ ରଖାଯାଇଛି । ୭ମ/୮ମ ସ୍ଥାନ ପାଇଁ ଉଭୟ ଦଳ ମୁହାଁମୁହିଁ ହେବେ । ୧୦.୩୦ରେ ମ୍ୟାଚ ଖେଳାଯିବାକୁ ଥିଲା । ହେଲେ ବର୍ଷା ପାଇଁ ଏହି ମ୍ୟାଚ ୧୧ଟାରେ ହେବ । ଟର୍ଫରେ ପାଣି ଜମିବା ଯୋଗୁଁ ମ୍ୟାଚ ସ୍ଥଗିତ ରହିଥିବା ଜଣାଯାଇଛି ।
ତେବେ ବାତ୍ୟା ସିନା ଟଳିଛି, ହେଲେ ବର୍ଷା କାଚୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ଖବର ସାମନାକୁ ଆସୁଛି । ତେବେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଟୁଇନ ସିଟି ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟରର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ଦୁଇ ସହରର ତଳିଆ ଅଞ୍ଚଳରେ ପାଣିଜମିବାର ଆଶଙ୍କା ମଧ୍ୟ ରହିଛି ।
ଅନ୍ୟପକ୍ଷରେ ପୁରୀ ଠାରୁ ୧୮୦ କିମି ଦୂରରେ ବାତ୍ୟା ଜୱାଦ ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଗୋପାଳପୁର ଠାରୁ ୧୩୦ କିମି ଓ ପାରାଦୀପ ଠାରୁ ୨୭୦ କିମି ଦୂରରେ ଜୱାଦ ରହିଛି । ଗତ ୬ଘଣ୍ଟା ଧରି ଘଣ୍ଟାପ୍ରତି ୧୫ କିମି ବେଗରେ ଏହା ଗତି କରୁଛି। ଆହୁରି ଦୁର୍ବଳ ହୋଇ ଜୱାଦ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରୁଛି । ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଜୱାଦ । ଅବପାତରେ ପରିଣତ ହୋଇ ମଧ୍ୟାହ୍ନରେ ପୁରୀ ପାଖାପାଖି ପହଞ୍ଚିବ । ପରେ ଜୱାଦ ପଶ୍ଚିମବଙ୍ଗ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ୧୨ ଘଣ୍ଟାରେ ଦୁର୍ବଳ ହୋଇ ୱେଲ ମାର୍କଡ ଲୋ’ ପ୍ରେସର ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।