ବିଜେଡି ଖେଳିଲା ମହିଳା କାର୍ଡ,ମାର୍ଚ୍ଚ ୫ରୁ ୨୦ ଯାଏ ହେବ ବିଜୁ ଜୟନ୍ତୀ ପାଳନ।

ବିଜେଡି ଖେଳିଲା ମହିଳା କାର୍ଡ,ମାର୍ଚ୍ଚ ୫ରୁ ୨୦ ଯାଏ ହେବ ବିଜୁ ଜୟନ୍ତୀ ପାଳନ।

ବିଜେଡି ଖେଳିଲା ମହିଳା କାର୍ଡ,ମାର୍ଚ୍ଚ ୫ରୁ ୨୦ ଯାଏ ହେବ ବିଜୁ ଜୟନ୍ତୀ ପାଳନ।
ମିଶନ ଶକ୍ତିରେ ସାମିଲ ଥିବା ୭୦ ଲକ୍ଷ ମହିଳାଙ୍କୁ ନିଜର ଭୋଟବ୍ୟାଙ୍କ ଭାବେ ଉପଯୋଗ କରି ପଂଚମଥର ଆଶନ ଅକ୍ତିଆର କରିଥିବା ବିଜେଡି ଏବେ ମହିଳା ଅସନ୍ତୋଷକୁ ଆଖି ଆଗରେ ରଖି ପୁଣିଥିରେ ମହିଳା କାର୍ଡ କୁ ନିଜର ଅସ୍ତ୍ର କରିଛି । ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀକୁ ୧୫ଦିନ ପାଳନ କରିବା ଅବସରରେ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରି ବିଭିନ୍ନ କ୍ଷେତ୍ରରେ ସଫଳ ୧୦ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ଓ ଆଗାମୀ ରାଜ୍ୟସଭା ନିର୍ବାଚନରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ବିଜେଡି ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆକୃଷ୍ଟ ନିମନ୍ତେ ୧୧ଟି ଜିଲ୍ଲାରେ ମହିଳା ସମାବେଶ କରିବା ସହ ପୁଳାପୁଳା ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଭୋଟ୍ ଜିତିବାପରେ ସେମାନଙ୍କୁ ଦଳ ସମ୍ପୂର୍ଣ୍ଣ ଭୁଲି ଯାଇଥିଲା। ମହିଳାଙ୍କ ପ୍ରତି ଅବହେଳା ଓ ବିଜେଡି କେବଳ ସେମାନଙ୍କୁ ଭୋଟ୍ ପାଇଁ ଉପଯୋଗ କରିଥିବା ନେଇ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିବା ପରେ ବିଜେଡି ରଣନୀତିକାରଙ୍କ ଚେତା ପଶିଛି। ଖାସ୍ ଏହି କାରଣ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ୧୫ଦିନିଆ ବିଜୁ ଜୟନ୍ତୀ ପାଳନ ଅବସରରେ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ମହିଳା ସମାବେଶ କରି ୧୦ଜଣ ସଫଳ ମହିଳାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଦଳୀୟ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୬ରେ ହେବାକୁ ଥିବା ଓଡ଼ିଶାର ୪ଟି ରାଜ୍ୟସଭା ପଦ ପାଇଁ ନିର୍ବାଚନରେ ଦଳ ନିଶ୍ଚିତ ଭାବେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବ। ରାଜ୍ୟର ତୃଣମୂଳସ୍ତରର ମହିଳାଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଦୂର କରିବା ନିମନ୍ତେ ବିଜେଡି ସୁପ୍ରିମୋ ଏବେ ନିର୍ବାଚନମଣ୍ଡଳୀୱାରି ମହିଳା ସମାବେଶ ଓ ରାଜ୍ୟସଭାରେ ଦଳର ମହିଳା ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି।