ବିଜେପୁର ଲଢେଇ ପାଇଁ କଂଗ୍ରେସରୁ ଦିଲୀପ ପଣ୍ଡା

ବିଜେପୁର ଲଢେଇ ପାଇଁ କଂଗ୍ରେସରୁ ଦିଲୀପ ପଣ୍ଡା

ବିଜେପୁର ଲଢେଇ ପାଇଁ କଂଗ୍ରେସରୁ ଦିଲୀପ ପଣ୍ଡା
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ରାଜନୈତିକ ତନାଘନା ଆରମ୍ଭ ହୋଇଛି । ଆଜି ବିଜେଡି କୋର୍ କମିଟି ବୈଠକ ବସି ରଣନୀତି ଚୂଡ଼ାନ୍ତ କରିଥିବା ବେଳେ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ବିଶ୍ୱସ୍ତ ମିଳିଥିବା ଖବର ଅନୁସାରେ, ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ । ସମ୍ଭବତଃ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିପାରନ୍ତି । ଆସନ୍ତା ୩୦ ତାରିଖରେ ବିଜେଡି ପ୍ରାର୍ଥିପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରିଛି । ରୀତାଙ୍କ ବିଜୟ ସୁନିଶ୍ଚିତ କରିବା ସହିତ ଭୋଟ ବ୍ୟବଧାନ ବଢାଇବା ପାଇଁ ଦଳ ୧୪ ଜଣ ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି । ଏମାନେ ବିଜେପୁରରେ କ୍ୟାମ୍ପ କରିବେ । ଏମାନଙ୍କ ଅଧୀନରେ ପ୍ରାୟ ୭୦ ଜଣ ନେତା ପଞ୍ଚାୟତ, ଏନଏସି ୱାର୍ଡରେ ରହି ପ୍ରତ୍ୟକ୍ଷ ଭାବେ ଉପନିର୍ବାଚନ ପରିଚାଳନା କରିବେ । ଦଳର ବରିଷ୍ଠ ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ତଦାରଖ ଦାୟିତ୍ୱରେ ରହିବେ । ପୂର୍ବରୁ ବିଜେଡି ଯେଉଁ ସମନ୍ୱୟ କମିଟି (୪ ଜଣିଆ) ଗଠନ କରିଥିଲା, ସେଥିରେ ଶ୍ରୀ ଆଚାର୍ଯ୍ୟ ନଥିଲେ । ହେଲେ ଆଜି କିନ୍ତୁ ବୈଠକରେ ତାଙ୍କୁ ସାମିଲ କରାଯାଇଥିଲା । ମିଳିଥିବା ଖବର ଅନୁସାରେ, ବିଜେପୁର ବ୍ଲକ(୨୩ଟି ପଞ୍ଚାୟତ) ଦାୟିତ୍ୱରେ ମନ୍ତ୍ରୀ ଅରୁଣ ସାହୁ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ରଙ୍କ ସହିତ ବିଧାୟକ କିଶୋର ମହାନ୍ତି ରହିବେ । ବରପାଲି ବ୍ଲକ(୨୩ ପଞ୍ଚାୟତ)ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା ଓ ସ୍ନେହାଙ୍ଗିନୀ ଛୁରିଆ ଓ ଗାଇସିଲଟ୍ ବ୍ଲକ (୧୯ଟି ପଞ୍ଚାୟତ) ଦାୟିତ୍ୱରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବ କିଶାର ଦାସ ଓ ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଙ୍କୁ ମୁଖ୍ୟତଃ ଦାୟିତ୍ୱ ଦିଆଯାଇଛି । ସେହିଭଳି ବରପାଲି ଏନ୍ଏଏସି ଦାୟିତ୍ୱରେ ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଓ ଦେବେଶ ଆଚାର୍ଯ୍ୟ ଏବଂ ବିଜେପୁର ଏନଏନଏସି ଦାୟିତ୍ୱରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ରୋହିତ ପୂଜାରୀଙ୍କୁ କାର୍ଯ୍ୟ କରିବାକୁ କୁହାଯାଇଛି । ଖୁବ୍ ଶୀଘ୍ର ଦଳର ଅନ୍ୟ ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତାଙ୍କୁ ନେଇ ୱାର୍ଡ ୱାରି ଦାୟିତ୍ୱ ବଣ୍ଟାଯିବ । ଅନ୍ୟପକ୍ଷରେ କେଂଗ୍ରସ ଆଜି ପ୍ରଥମ ଦଳ ଭାବେ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସେ ହେଉଛନ୍ତି ଦିଲ୍ଲୀପ କୁମାର ପଣ୍ଡା । ପିସିସି ପକ୍ଷରୁ ଆଜି ୫ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଥିଲା । ସେଥିମଧ୍ୟରୁ ଦିଲ୍ଲୀପଙ୍କ ନାମରେ ହାଇକମାଣ୍ଡ ମୋହର ଲଗାଇଛନ୍ତି । ଏହାସହିତ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉପନିର୍ବାଚନ ସୁପରିଚାଳନା ପାଇଁ ନେତାଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟିଛନ୍ତି । ଗାଇସିଲଟ୍ ବ୍ଲକ ପାଇଁ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଏବଂ ଗତ ନିର୍ବାଚନରେ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ହୋଇଥିବା ଯୁବ ନେତା ସମରେନ୍ଦ୍ର ମିଶ୍ର ଦାୟିତ୍ୱରେ ରହିବେ । ବିଜେପୁର ବ୍ଲକ ପାଇଁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବିଧାୟକ ରମେଶ ଜେନା, କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଧାୟକ ସନ୍ତୋଷ ସିଂହ ସାଲୁଜା, ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଗତ ନିର୍ବାଚନରେ ବରଗଡ଼ ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଦୀପ ଦେବତା ଦାୟିତ୍ୱରେ ରହିବେ । ବରପାଲି ବ୍ଲକ ନିର୍ବାଚନ ଦାୟିତ୍ୱ ପୂର୍ବତନ ବିଧାୟକ ନିହାର ମହାନନ୍ଦ ଓ ସରୋଜ ମହାପାତ୍ରଙ୍କୁ ଦିଆଯାଇଛି । ଏହି ନେତାମାନଙ୍କୁ ତୁରନ୍ତ ବିଜେପୁର ଯାଇ ସଂପୃକ୍ତ ବ୍ଲକ, ପଞ୍ଚାୟତ ଓ ଜୋନସ୍ତରର ନେତାଙ୍କ ସହିତ ଆେଲୋଚନା କରି ପଦକ୍ଷେପ ନେବାକୁ ଆଜି ପିସିସି ନିର୍ଦେଶ ଦେଇଛି ।