ବିରାଟଙ୍କ ନମ୍ବରୱାନ ଫ୍ୟାନ୍ ଓଡ଼ିଶାର ପିଣ୍ଟୁ
ବିରାଟଙ୍କ ନମ୍ବରୱାନ ଫ୍ୟାନ୍ ଓଡ଼ିଶାର ପିଣ୍ଟୁ
admin
Oct 3, 2019 - 11:49
Updated: Oct 3, 2019 - 11:49
କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର ପିଣ୍ଟୁ ବେହେରା ନିଜ ସୌଭାଗ୍ୟକୁ ବିଶ୍ୱାସ କରିପାରୁନଥିଲେ । ଯାହାଙ୍କ ପାଇଁ ସେ ଏକରକମ ପାଗଳ ଥିଲେ ସେ ପୁଣି ତାଙ୍କୁ ଭେଟିଲେ, ହାତ ମିଳାଇବା ସହ କୋଳେଇ ନେଲେ । ଆଉ ସେ ହେଉଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ମଙ୍ଗଳବାର ଏହି ମହାନ ଅବସର ପକାଇଥିଲେ ପିଣ୍ଟୁ । ତାଙ୍କ ଦେହସାରା ବିରାଟଙ୍କ ଫଟୋ ଆଉ କି୍ରକେଟ ରେକର୍ଡର ଟାଟୁ ଦେଇ ବିସ୍ମିତ ହୋଇଯାଇଥିଲେ କୋହଲି । ତାଙ୍କର ବି ଏପରି ଜଣେ ଫ୍ୟାନ ଅଛି ଦେଖି ପିଣ୍ଟୁକୁ କୋଳେଇ ନେଇଥିଲେ ସେ ।
ବିଶାଖାପାଟଣାରେ ଆରମ୍ଭ ହୋଇଥିବା ଭାରତ-ଦକ୍ଷିଣ ଆଫି୍ରକା ଟେଷ୍ଟ ମ୍ୟାଚ୍ ଦେଖିବାକୁ ଦିନକ ପୂର୍ବରୁ ସେଠାରେ ପହଞ୍ଚି ଯାଇଥିଲେ ପିଣ୍ଟୁ । ପଡ଼ିଆ ବାହାରେ ଟିମ୍ ଇଣ୍ଡିଆର ଅଭ୍ୟାସ ଦେଖୁଥିଲେ ପିଣ୍ଟୁ । ସାଥିରେ ଥିଲେ ଭାରତୀୟ ଦଳର ଆଉ ଜଣେ ବଡ଼ ଫ୍ୟାନ୍ ସୁଧୀର ଗୌତମ । ହଠାତ ଜଣେ ସାମ୍ବାଦିକ ଆସି ପିଣ୍ଟୁକୁ କହିଲେ ଚାଲ କୋହଲିଙ୍କୁ ଭେଟିବ । ଚକିତ ହୋଇ ଯାଇଥିଲେ ପିଣ୍ଟୁ । ଫ୍ୟାନ ହୋଇ ମଧ୍ୟ କୋହଲିଙ୍କୁ କେବେ ପୂର୍ବରୁ ଭେଟିବା ସୁଯୋଗ ପାଇନଥିଲେ ସେ । ଏଥର ଯେମିତି ସୁବର୍ଣ୍ଣ ସୁଯୋଗ ଆସିଥିଲା । କୋହଲିଙ୍କୁ ମିଶାଇବା ପରେ ସାମ୍ବାଦିକ ଜଣକ ପିଣ୍ଟୁଙ୍କୁ ସାର୍ଟ ବାହାର କରିବାକୁ କହିଲେ । ପିଣ୍ଟୁଙ୍କ ଦେହସାରା ଥିଲା ବିରାଟ କୋହଲିଙ୍କ ଚିତ୍ର , ଟାଟୁ । ବିରାଟ ପିଣ୍ଟୁଙ୍କ ବିଷୟରେ ଶୁଣିଥିବା କହିବା ସହ ତାଙ୍କୁ କୁଣ୍ଢାଇ ପକାଇଥିଲେ । ସେହି ମୁହୂର୍ତ୍ତରେ ନିଜକୁ ବଡ଼ ସୌଭାଗ୍ୟବାନ ମଣିଥିବା କହିଛନ୍ତି ପିଣ୍ଟୁ ବେହେରା । ନିଜର ଏହି ଅନନ୍ୟ ପ୍ରଶଂସକଙ୍କ ସହ କିଛି ଫଟୋ ଉଠାଇବା ପରେ ପୁଣି ଭେଟିବା କହି ଚାଲି ଯାଇଥିଲେ କୋହଲି ।
ଦେହସାରା ବିରାଟଙ୍କ ଟାଟୁ ପାଇଁ ଗଣମାଧ୍ୟମରେ ଚର୍ଚ୍ଚାରେ ଆସିଥିଲେ ପିଣ୍ଟୁ ବେହେରା । ପେଷାରେ ବିଲ୍ଡିଂ କଣ୍ଟ୍ରାକ୍ଟର ପିଣ୍ଟୁଙ୍କ ନିଶା କି୍ରକେଟ ମ୍ୟାଚ୍ ଦେଖିବା । ଭାରତୀୟ ଦଳର ମ୍ୟାଚ୍ ଦେଖିବା ପାଇଁ ସେ ସର୍ବଦା ଷ୍ଟାଡିୟମରେ ପହଞ୍ଚି ଯାଆନ୍ତି । ଟିମ୍ ଇଣ୍ଡିଆ ସହ କୋହଲିଙ୍କ ପାଇଁ ସେ ପାଗଳପ୍ରାୟ । ପରିବାର କହିଲେ ତାଙ୍କର ସ୍ତ୍ରୀ ଓ ୪ ବର୍ଷର ଝିଅଟିଏ ଅଛନ୍ତି । ବିରାଟଙ୍କୁ ଭେଟିବା ସ୍ୱପ୍ନ ସାକାର ହୋଇଥିବାରୁ ସେ ଏବେ ବେଶ୍ ଖୁସି ।