ବିରୋଧୀଙ୍କୁ ହଇରାଣ କରିବା ପାଇଁ ଧର୍ମଘଟ ଆଇନ
ବିରୋଧୀଙ୍କୁ ହଇରାଣ କରିବା ପାଇଁ ଧର୍ମଘଟ ଆଇନ
admin
Nov 24, 2020 - 14:36
Updated: Nov 24, 2020 - 14:36
ଭୁବନେଶ୍ୱର: ଅତ୍ୟାବଶ୍ୟକ ସେବାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଧର୍ମଘଟକୁ ସହାୟତା କଲେ ବର୍ଷକ ପାଇଁ ଜେଲ ଓ ୫ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ଧର୍ମଘଟ କରୁଥିବା ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଡ଼ିଲେ ଚାକିରି ବି ହରାଇବେ । ବିଧାନସଭାରେ ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ ) ଆଇନ ୧୯୮୮ ରେ ସଂଶୋଧନ କରାଯାଇ ନୂଆବିଲ ପାରିତ ହୋଇଛି । ବିଲର ସଂଶୋଧନ ପ୍ରସ୍ତାବକୁ ବିରୋଧୀ ଯେତେ ବିରୋଧ କଲେ ବି ସରକାର ସଂଖ୍ୟା ଗରିଷ୍ଠ ବଳରେ ପାରିତ କରାଇ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏପରିକି କର୍ମଚାରୀଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କ ସ୍ୱରକୁ ଚାପି ଦେବାକୁ ସରକାର ଏକ ପ୍ରକାର ବ୍ୟବସ୍ଥା କରିଦେଲେ ବୋଲି ଗୃହରେ ବିରୋଧୀ ଦାବି କରିଛନ୍ତି । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ସଂଶୋଧନ ବିଲ ୨୦୨୦ ଆଗତ କରିଥିଲେ । ବିଲ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ, କେତେକ ସମୟରେ ପାଣି, ବିଦୁ୍ୟତ, ଖାଦ୍ୟ ସାମଗ୍ରୀ ବଣ୍ଟନ, ଶାନ୍ତି ଶୃଙ୍ଖଳା ରକ୍ଷା, ସର୍ବସାଧାରଣ ନିରାପତ୍ତା, ଅଗ୍ନି ନିରାପତ୍ତା ଓ ସୁରକ୍ଷା ଦାୟିତ୍ୱ ଭଳି ଅପରିହାର୍ଯ୍ୟ ସେବାରେ ନିୟୋଜିତ କର୍ମଚାରୀମାନେ ଆନେ୍ଦାଳନ କରୁଥିବାରୁ ଲୋକମାନେ ହଇରାଣ ହେଉଛନ୍ତି । ୧୯୮୮ ମସିାରେ କରାଯାଇଥିବା ଅତ୍ୟାବଶ୍ୟକ ସେବା ଆଇନରେ ଏସବୁ ବିଶୃଙ୍ଖଳ କର୍ମଚାରୀଙ୍କୁ ଦଣ୍ଡିତ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ତେଣୁ ଲୋକମାନଙ୍କୁ ନିରନ୍ତର ଅତ୍ୟାବଶ୍ୟକ ସେବା ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ଦଣ୍ଡିତ କରିବା ପାଇଁ ଏହି ସଂଶୋଧନ ପ୍ରସ୍ତାବ ଅଣାଯାଇଛି ।