ବ୍ରହ୍ମପୁର ଲୋକସଭା ଆସନରେ ତ୍ରିମୁଖୀ ଲଢେଇ

ବ୍ରହ୍ମପୁର ଲୋକସଭା ଆସନରେ ତ୍ରିମୁଖୀ ଲଢେଇ

ବ୍ରହ୍ମପୁର ଲୋକସଭା ଆସନରେ ତ୍ରିମୁଖୀ ଲଢେଇ
ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଆସନ ନିମନ୍ତେ ୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି । ୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ ସୁଦ୍ଧା ଏହି ଲୋକସଭା ଆସନରେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହେବା ସ୍ପଷ୍ଟ ହୋଇଯାଇଛି । ବ୍ରହ୍ମପୁର ଆସନରୁ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ମଧ୍ୟ ନିର୍ବାଚନ ଲଢିଥିବାରୁ ଏହି ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥାଏ । ଚଳିତ ନିର୍ବାଚନରେ ବହ୍ମପୁର ଲୋକସଭା ଆସନରୁ ବିଜେଡି ଚନ୍ଦ୍ରଶେଖର ସାହୁ,ବିଜେପିରେ ଭୃଗୁ ବକ୍ସିପାତ୍ର ,କଂଗ୍ରେସରୁ ଭି ଚନ୍ଦ୍ରଶେଖର ନାଇଡୁ , ବହୁଜନ ସମାଜ ପାର୍ଟିରୁ ତିରୁପତି ରାଓ କରନମ୍, ଓଡିଶା ପ୍ରଗତି ଦଳରୁ ଶ୍ରୀହରି ପଟ୍ଟନାୟକ,ଏସ୍ୟୁସିଆଇ(କମ୍ପୁନିଷ୍ଟ)ରୁ ସୋମନାଥ ବେହେରା ,ସ୍ୱାଧୀନ ପ୍ରାର୍ଥୀ ଭାବେ ଚକ୍ରଧର ସାହୁ ଓ କେ ଶ୍ୟାମବାବୁ ସୁବୁଦ୍ଧ ନିର୍ବାଚନ ଲଢୁଛନ୍ତି । ୨୦୦୯ ଓ ୨୦୧୪ ନିର୍ବାଚନରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ବିଜୟୀ ହୋଇଥିଲେ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସିଦ୍ଧାନ୍ତ ୩ ଲକ୍ଷ ୯୮ହଜାର ୧୦୭ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ ୨ ଲକ୍ଷ ୭୦ ହଜାର ୩୮୭ ଏବଂ ବିଜେପି ପ୍ରାର୍ଥୀ ରାମଚନ୍ଦ୍ରପଣ୍ଡା ଏକ ଲକ୍ଷ ୫୮ ହଜାର ୮୧୧ ଭୋଟ ପାଇଥିଲେ । ତେବେ ଚଳିତ ବର୍ଷ ନିର୍ବାଚନ ଚିତ୍ର ବଦଳି ଯାଇଛି । ଗତଥର ନିର୍ବାଚନ ଲଢିଥିବା ୩ ପ୍ରମୁଖ ରାଜନୈତିକ ଦଳ ଭିନ୍ନ ଭିନ୍ନ ପ୍ରାର୍ଥୀ ଏଥର ଅବତୀର୍ଣ୍ଣ ହୋଇଛନ୍ତି । ଗତ ଦୁଇ ନିର୍ବାଚନରେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବା ଚନ୍ଦ୍ରଶେଖର ସାହୁ ଏଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ଗତ ଏପ୍ରିଲ ମାସରେ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ପରେ ବିଜେଡି ଲୋକସଭା ଟିକେଟ ପାଇ ନିର୍ବାଚନ ଲଢୁଛନ୍ତି । ୟସେହିପରି ବିଜେପି ମଧ୍ୟ ଏଥର ନୂଆ ଏଥର ନୂଆ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ରଙ୍କୁ ଟିକେଟ ଦେଇଛି । କଂଗ୍ରେସ ପକ୍ଷରୁ ଭି.ଚନ୍ଦ୍ରଶେଖର ନାଇଡୁ ପ୍ରାର୍ଥୀ ହୋଇଛନ୍ତି । ତେଣୁ ଏହି ୩ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ବିଜେଡିରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ସାହୁ ନବୀନ ପଟ୍ଟନାୟକ ସରକାର ୧୯ ବର୍ଷ ଧରି ଯେଉଁ ବିକାଶ କରିଛନ୍ତି ତାହାକୁ ନିର୍ବାଚନୀ ପ୍ରସଙ୍ଗ କରିଥିବାବେଳେ କେନ୍ଦ୍ର ସରକାର କିଭଳି ଓଡିଶାକୁ ଅବହେଳା କରୁଛନ୍ତି ତାହାକୁ ପ୍ରଚାରରେ ସ୍ଥାନ ଦେଇଛନ୍ତି । ଆଦିବାସୀ ଛାତ୍ରଛାତ୍ରୀ, ରେଳବାଇ ଗ୍ରାମ୍ୟଉନ୍ନୟନ କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳାକୁ ବିଜେଡି ପ୍ରଚାରରେ ଆୟୁଧ କରିଛି । ତେଣୁ ବିଜେଡି ପାଇଁ ବିକାଶ ଏହୀ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହୋଇଛି । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଶ୍ରୀ ବକ୍ସିପାତ୍ର ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଓ ବ୍ୟକ୍ତିତ୍ୱକୁ ଆଧାର କରି ନିର୍ବାଚନ ପ୍ରଚାରକୁ ଓହ୍ଳାଇଛନ୍ତି । ଏହାସହ ବ୍ରହ୍ମପୁର ଲୋକସଭା ଆସନରେ ନିର୍ବାଚିତ ହୋଇ ଯାଇଥିବା ପ୍ରତିନିଧିମାନେ ଅଂଚଳର ସ୍ୱର ଦିଲ୍ଲୀ ଦରବାରରେ ପହଂଚାଇବାରେ ବିଫଳ ହୋଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଶ୍ରୀ ନାଇଡୁ ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣାଅଂଚଳରେ କୌଣସି ଶିଳ୍ପାୟନ ହୋଇନଥିବା ଅଭିଯୋଗ କରି ପ୍ରଚାରକୁ ଓହ୍ଳାଇଛନ୍ତି । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଏଠାରେ ଏୟାରଷ୍ଟ୍ରିପ ହୋଇପାରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏଠାରୁ ବିଜୟୀ ହୋଇଥିବା ପ୍ରାର୍ଥୀମାନେ କଣ ବିକାଶ କରିଛନ୍ତି ତାହାର ରିପୋର୍ଟ କାର୍ଡ ପ୍ରଦାନ କରୁନଥିବାରୁ ଲୋକମାନେ ତାହା ଜାଣିପାରୁନଥିବା ସେ ଯୁକ୍ତି ଦର୍ଶାଇ ବିକାଶ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ୩ ଟି ପ୍ରମୁଖ ଦଳର ଆଭିମୁଖ୍ୟକୁ ଅନୁଧ୍ୟାନ କରାଗଲେ ଏଥର ବ୍ରହ୍ମପୁର ଲୋକସଭା ଆସନରେ ବିକାଶ ମୁଖ୍ୟ ପ୍ରସଙ୍ଗ ହେବା ସ୍ପଷ୍ଟ ହୋଇଯାଇଛି । ୩ ପ୍ରମୁଖ ଦଳ ପକ୍ଷରୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯାଇଛି । ଆଗାମୀଦିନର ୩ଦଳର ଷ୍ଟାର ପ୍ରଚାରକମାନେ ଏଠାରେ ପହଂଚିବା ପରେ ପ୍ରଚାର ଅଧିକ ରୋଚକ ହେବ । ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ବ୍ରହ୍ମପୁର , ଗୋପାଳପୁର,ଚିକିଟି,ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ରରେ ସଂଖ୍ୟାଧିକ ତେଲେଗୁ ଭୋଟର ଅଛନ୍ତି । ବ୍ରହ୍ମପୁର ମଧ୍ୟ ସଂଖ୍ୟାଧିକ ତେଲେଗୁ ଭୋଟର ରହିଛନ୍ତି । ତେଣୁ ତେଲେଗୁ ଭୋଟ ହାତେଇବା ସବୁ ପ୍ରାର୍ଥୀଙ୍କୁ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡିଛି । ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବିଭିନ୍ନସ୍ତରରେ ଯୋଜନା ଚାଲିଛି । ଆଗାମୀ ଦିନରେ ଭୋଟରଙ୍କୁ ଜୋରଦାର କରିବା ସହିତ ଘର କୁ ୁଘର ବୁଲି ମତଦାତାଙ୍କ ମନ ଜିତିବାକୁ ଅଧିକ ଉଦ୍ୟମ କରାଯିବା ଅନୁମାନ କରାଯାଇଛି । ଲୋକସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର ପାଇଁ ବହୁତ କମ ସମୟ ରହିଯାଇଥିବାରୁ ଏବେ ସବୁ ବିଧାନସଭା ଆସନରେ ପହଂଚିବା ପ୍ରାର୍ଥୀଙ୍କ ପାଇଁ ବଡ ଆହ୍ୱାନ ହୋଇଛି ।