ଭାରତ ବନ୍ଦର ପ୍ରଭାବ: ବସ୍ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ, ଯାତ୍ରୀ ହନ୍ତସନ୍ତ

ଭାରତ ବନ୍ଦର ପ୍ରଭାବ: ବସ୍ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ, ଯାତ୍ରୀ ହନ୍ତସନ୍ତ

ଭାରତ ବନ୍ଦର ପ୍ରଭାବ: ବସ୍ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ଵର - ଦରଦାମ ବୃଦ୍ଧି, ବେକାରୀ ସମସ୍ୟାର ପ୍ରତିବାଦ ସହିତ ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନର ଆହ୍ୱାନକ୍ରମେ ରାଜ୍ୟରେ ବୁଧବାର ଭାରତ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ କଂଗ୍ରେସ ସମେତ ଅନ୍ୟ କେତେକ ସଂଗଠନ ସମର୍ଥନ କରୁଥିବାବେଳେ ବୁଧବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ବନ୍ଦ ରହିଛି। ଏଥିସହ ଦୋକାନ ବଜାର ଓ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିବା ସହ ପରୀକ୍ଷାଗୁଡ଼ିକ ବାତିଲ ହୋଇଛି। ଏ ନେଇ ବିଭିନ୍ନ ସ୍ଥାନରେ ଅନେକ ଦଳୀୟକର୍ମୀମାନେ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି। ବିଶେଷ କରି କଟକ, ଭୁବନେଶ୍ଵର, ପୁରୀ ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ବସ୍‌, ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ବସ୍‌ ଷ୍ଟାଣ୍ଡ ଏବଂ ରେଳ ଷ୍ଟେଶନରେ ବହୁ ସଂଖ୍ୟାରେ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ଫସିରହିଛନ୍ତି। ସୂଚନା ଅନୁସାରେ, କଟକ ବାଦାମବାଡ଼ି ଏବଂ ଭୁବନେଶ୍ଵରର ବରମୁଣ୍ଡା ଏବଂ ପୁରୀରୁ କୌଣସି ବସ ଚଳାଚଳ ହେଉନାହିଁ। ଫଳରେ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରୁ ନାହାନ୍ତି। ଏହାବ୍ୟତୀତ ରାଉରକେଲା, ବାଲେଶ୍ଵର, ରେମୁଣା, ବଣାଇ, ଭବାନୀପାଟଣା, ଭଦ୍ରକ, ରାୟଗଡ଼ା ସମେତ ଅନ୍ୟାନ୍ୟ ସ୍ଥାନରେ ବନ୍ଦ ପାଳନ ଯୋଗୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭଦ୍ରକର ଧାମରାଘାଟସ୍ଥିତ ୧୬ ନମ୍ବର ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ଫଳରେ ଉକ୍ତ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ରାସ୍ତାରେ ଲମ୍ବା ଧାଡ଼ିରେ ଟ୍ରକଗୁଡ଼ିକ ଛିଡ଼ା ହୋଇଥିବାବେଳେ ଆନ୍ଦୋଳନକାରୀ ପିକେଟିଂ କରି ଦୋକାନବଜାର ବନ୍ଦ କରୁଛନ୍ତି। ଅନ୍ୟପଟେ ବନ୍ଦ ପ୍ରଭାବରେ କେନ୍ଦୁଝର ଭୁବନେଶ୍ୱର ଫାଷ୍ଟ ପସେଞ୍ଜରକୁ କେନ୍ଦୁଝରରେ ଅଟକ ରଖାଯାଇଛି। ସେହିପରି ଭୁବନେଶ୍ଵର ଷ୍ଟେସନରେ ଭୁବନେଶ୍ଵର-ବଲାଙ୍ଗିର ଇଣ୍ଟରସିଟି ଓ ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ ଅଟକି ରହିଛି। ଭଦ୍ରକ ଷ୍ଟେଶନରେ ଭଦ୍ରକ-ବ୍ରହ୍ମପୁର ପାସେଞ୍ଜର ବ୍ରହ୍ମପୁର ଷ୍ଟେଶନରେ ଇଚ୍ଛାପୁର-କଟକ ମେମୁ ଟ୍ରେନ, ହାଓଡ଼ା-ଯଶବନ୍ତପୁର ଏକ୍ସପ୍ରେସ, ଗୁଣପୁରରେ ପୁରୀ-ବିଶାଖାପାଟଣା ଏକ୍ସପ୍ରେସ, ବାଲେଶ୍ଵରରେ ଖଡ଼ଗପୁର-ଖୋର୍ଦ୍ଧା ଟ୍ରେନ, ପୁରୀରେ ପୁରୀ-କଟକ ଓ ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ ଅଟକି ରହିଛି। କଟକ ଷ୍ଟେଶନରେ ରେଳରୋକୋ କରାଯାଇଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି।