ମଣିପୁର ଭିଡିଓ ମାମଲା, ତଦନ୍ତ କରିବ ସିବିଆଇ

ମଣିପୁର ଭିଡିଓ ମାମଲା, ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ : ମଣିପୁରରେ ଦୁଇ କୁକି-ଜୋ ସମ୍ପ୍ରଦାୟର ମହିଳାଙ୍କୁ ଉଲଗ୍ନ ଚଲାଇବା ସହ ଗଣବଳାତ୍କାର ଅଭିଯୋଗର ତଦନ୍ତ ଦାୟିତ୍ବ କେନ୍ଦ୍ର ସରକାର ସିବିଆଇକୁ ପ୍ରଦାନ କରିବେ। ଏ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆବଶ୍ୟକ ସୁପାରିସ କରିବ। ମଣିପୁର ସଂକ୍ରାନ୍ତ ସମସ୍ତ ମାମଲାର ବିଚାର ଅନ୍ୟ ରାଜ୍ୟରେ କରାଯିବ। ମାମଲାର ବିଚାର ରାଜ୍ୟ ବାହାରେ କରିବାକୁ ଆବଶ୍ୟକ ଅନୁମତି ଦେବା ଲାଗି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିବେ। ସମ୍ଭବତଃ ଆସାମରେ ଏହାର ବିଚାର କରାଯିବାକୁ ଆପାତତଃ ସ୍ଥିର ହୋଇଛି।
ଏଥିସହିତ ମଣିପୁର ବିବାଦ​ର ଦୁଇ ପକ୍ଷ, କୁକି ଜନଜାତି ଓ ମୈତେଇ ସମ୍ପ୍ରଦାୟଙ୍କୁ ନେଇ ଶୀଘ୍ର ବୈଠକ ଆୟୋଜନ ପାଇଁ କେନ୍ଦ୍ର ସରକାର ଯୋଜନା ଚଳାଇଛନ୍ତି। ଉଭୟ ଗୋଷ୍ଠୀଙ୍କୁ ଗୋଟିଏ ଟେବୁଲରେ ବସାଇବା ପ୍ରକ୍ରିୟା ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଏ ନେଇ ଉଭୟ ପକ୍ଷଙ୍କ ସହିତ ସ୍ବତନ୍ତ୍ର ଭାବେ ୬ ପର୍ୟ୍ୟାୟ ଆଲୋଚନା ସରିଥିବା ପ୍ରକାଶ। ଏତଦ୍‌ବ୍ୟତୀତ ସିଭିଲ ସୋସାଇଟିର ବିଭିନ୍ନ ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା ଚାଲିଛି। ସରକାର ଏ ସଂକ୍ରାନ୍ତରେ ସର୍ବୋଚ୍ଚ ନ୍ୟାୟାଳୟକୁ ଅବଗତ କରିବେ। ଅପରପକ୍ଷରେ ଗତ ୧୯ ତାରିଖରେ ପ୍ରସାରିତ ଓ ମେ’ ୪ରେ ରେକର୍ଡ ହୋଇଥିବା ଉପରୋକ୍ତ ଭିଡିଓକୁ ରେକର୍ଡ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଯେଉଁ ଫୋନ୍‌ରେ ସେ ଏହି ଘୃଣ୍ୟ ଦୃଶ୍ୟ ରେକର୍ଡ କରିଥିଲା ତାହାକୁ ଜବତ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।