କେବଳ ସ୍କୁଲ ଲିଭିଂ ସାର୍ଟିଫିକେଟ ଭରସାଯୋଗ୍ୟ ନୁହେଁ ବୟସ ପ୍ରମାଣ ପାଇଁ : ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ନାବାଳିକା ଦୁଷ୍କର୍ମ ମାମଲାରେ

କେବଳ ସ୍କୁଲ ଲିଭିଂ ସାର୍ଟିଫିକେଟ ଭରସାଯୋଗ୍ୟ ନୁହେଁ ବୟସ ପ୍ରମାଣ ପାଇଁ : ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ନାବାଳିକା ଦୁଷ୍କର୍ମ ମାମଲାରେ

କଟକ : ନାବାଳିକା ଦୁଷ୍କର୍ମ ମାମଲାରେ ପୀଡିତାଙ୍କ ବୟସ ପ୍ରମାଣ ପ୍ରସଂଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପୀଡିତାଙ୍କ ବୟସ ପ୍ରମାଣ ପାଇଁ କେବଳ ଏକମାତ୍ର ସ୍କୁଲ ଲିଭିଂ ସାର୍ଟିଫିକେଟ (ଏସଏଲସି) ଉପରେ ଭରସା କରି ହେବ ନାହିଁ ବୋଲି ହାଇକୋର୍ଟ କହିବା ସହିତ ଆଇପିସିର ଦଫା ୩୭୬(୩) ଓ ପୋକସୋ ଆଇନର ଧାରା ୬ରେ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ନିମ୍ନ ଅଦାଲତ ପ୍ରଦାନ କରିଥିବା ୨୦ ବର୍ଷ ସଶ୍ରମ ଜେଲ ଓ ୧୫ ହଜାର ଟଙ୍କା ଜରିମାନା ଦଣ୍ଡକୁ ରଦ୍ଦ କରିଛନ୍ତି।

ଆବେଦନକାରୀଙ୍କୁ ଆଇପିସିର ଦଫା ୩୭୬(୧)ରେ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି। କେବଳ ଏସଏଲସିକୁ ପୀଡିତାଙ୍କ ବୟସ ୧୬ବର୍ଷରୁ କମ ଥିଲା ବୋଲି ଚୂଡାନ୍ତ ପ୍ରମାଣ ଭାବେ ଗ୍ରହଣ କରାଯିବା ଠିକ ନୁହେଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଘଟଣା ବେଳେ ପୀଡିତାଙ୍କୁ ୧୬ ବର୍ଷରୁ କମ୍ ହୋଇଥିବା ନେଇ ଉପଯୁକ୍ତ ପ୍ରମାଣ ନଥିବାରୁ ଆବେଦନକାରୀଙ୍କୁ ଆଇପିସିର ଦଫା ୩୭୬(୩) ଓ ପୋକସୋ ଆଇନର ଧାରା ୬ରୁ ମୁକ୍ତ କରାଯାଉଛି ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁ‌ର୍ଯୋଧନ ମାଝୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।