ମାଲେସୀୟ ଜାହାଜ ‘ଜିନ ୱା’ରୁ ଆଜି ଠାରୁ କଢାଯିବ ତେଲ

ମାଲେସୀୟ ଜାହାଜ ‘ଜିନ ୱା’ରୁ ଆଜି ଠାରୁ କଢାଯିବ ତେଲ

ମାଲେସୀୟ ଜାହାଜ  ‘ଜିନ ୱା’ରୁ ଆଜି ଠାରୁ କଢାଯିବ ତେଲ
ଚିଲିକା: ଚିଲିକା ନିକଟ ରାଜହଂସରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ ୱା’ରୁ ଆଜି ଅର୍ଥାତ ବୁଧବାର ଠାରୁ ତେଲ କଢାଯିବ । ଏହା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ଜାହାଜରୁ ତେଲ କାଢିବା ଆଜି ଠାରୁ ଆରମ୍ଭ ହେବ । ଏହା ୩/୪ ଦିନ ଲାଗିବ । ଜାହାଜକୁ ସେଠାରୁ ଉଠାଇବାକୁ ମଧ୍ୟ କୁହାଯିବ । ଜାହାଜଟି କାହାର ଓ କେଉଁ ଏଜେନ୍ସିର ତାହା ଖୋଜିବାରେ ସମୟ ଲାଗିଗଲା । ତେଣୁ ଏସବୁ ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ହୋଇଛି ବୋଲି କହିବା ସହ ଚିଲିକା ପ୍ରତି କୌଣସି ବିପଦ ନଥିବା ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ପ୍ରକାଶ ଯେ, ବାଂଲାଦେଶରୁ ମାଲ କାଢି ଫେରିବା ବେଳେ ବାଟବଣା ହୋଇ ଚିଲିକା ନିକଟ ରାଜହଂସରେ ଫସି ରହିଥିବା ଉକ୍ତ ଜାହାଜରୁ କିଭଳି ତେଲ କଢାଯିବ ସେ ନେଇ ଜାହାଜ ମାଲିକଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା ହୋଇଥିବା ମନ୍ତ୍ରୀ ଶ୍ରୀ ବେହେରା ପୂର୍ବରୁ ସୂଚନା ଦେଇଥିଲେ । ପୂର୍ବରୁ ମନ୍ତ୍ରୀ ଶ୍ରୀ ବେହେରା ଦୃଢୋକ୍ତି ପ୍ରକାଶ କରି କହିଥିଲେ ଯେ, ଚିଲିକା କୂଳରୁ ଖୁବଶୀଘ୍ର ଉକ୍ତ ଜାହାଜକୁ ସ୍ଥାନାନ୍ତର କରାଯିବ । ଜଳପଥରେ ଉକ୍ତ ଜାହାଜକୁ ସ୍ଥାନାନ୍ତର କରାଯିବ । ଉକ୍ତ ଜାହାଜରୁ ତେଲ ଲିକ ହେବାର କୌଣସି ସମ୍ଭାବନା ନଥିବା ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ତେବେ ବର୍ତ୍ତମାନ ପରିସ୍ଥିତି ଧୀରେ ଧୀରେ ବିଗିଡ଼ୁଥିବାରୁ ଜାହାଜରୁ ତେଲ କାଢିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୋମବାର ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଗତ ଅଗଷ୍ଟ ୭ ତାରିଖ ଠାରୁ ଉକ୍ତ ଜାହାଜଟି ଚିଲିକା ନିକଟ ରାଜହଂସରେ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଛି । ଯେ କୌଣସି ସମୟରେ ଉକ୍ତ ଜାହାଜରୁ ତେଲ ଲିକ ହେବାର ସମ୍ଭାବନା ରହିଛି । ଏପରି ହେଲେ ଜୈବବିବିଧତା ଉପରେ ଏହାର କୁପ୍ରଭାବ ପଡ଼ିବ ।