ରାଜଧାନୀରେ ତାତିଲେ ଚାଷୀ

ରାଜଧାନୀରେ ତାତିଲେ ଚାଷୀ

ରାଜଧାନୀରେ ତାତିଲେ ଚାଷୀ
ଭୁବନେଶ୍ଵର : ଟୋକନ ବ୍ୟବସ୍ଥା ବିରୋଧରେ ଆଜି ଗୋଡଭଗା ଛକରେ ରାସ୍ତାରେ ଧାନବସ୍ତା ରଖି ପଶ୍ଚିମ ଓଡିଶା ଚାଷୀ ରାସ୍ତା ଅବରୋଧ କରିଥିବା ବେଳେ ରାଜଧାନୀରେ ଏହାକୁ ମଧ୍ୟ ତୀବ୍ର ବିରୋଧ କରାଯାଇଛି। ଟୋକନ ବ୍ୟବସ୍ଥାକୁ ବିରୋଧ କରି ରାଜଧାନୀରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଲି କରାଯାଇଛି। ସଙ୍ଗଠନର ଚାଷୀମାନେ ପିଏମଜିରୁ ବାହାରି ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରା କରିଛନ୍ତି। ଏହି ସମୟରେ ପୁଲିସ ସେମାନଙ୍କୁ ବାଧା ଦେବାରୁ ଶିଶୁଭବନ ଛକରେ ନବ ନିର୍ମାଣ କୃଷକ ସଙ୍ଗଠନର ଚାଷୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏହି ଅବସରରେ ପୁଲିସ ଚାଷୀ ନେତା ଅକ୍ଷୟ କୁମାର ଓ ଶେଷଦେବ ନନ୍ଦଙ୍କୁ ଅଟକ ରଖିଛି । ସେହିପରି ପଶ୍ଚିମ ଓଡିଶାରେ ଶହ ଶହ ସଂଖ୍ୟାରେ ଚାଷୀ ଏକଜୁଟ ହୋଇଛନ୍ତି। କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ମେଳି କରାଯାଇଛି। ଆଗକୁ କିପରି ଟୋକନ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନ କରାଯିବ ସେନେଇ ରଣନୀତି ପ୍ରସ୍ତୁତ କରାଯାଉଛି। ଗୋଟିଏ ପଟେ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ଅଡି ବସିଥିବା ବେଳେ ସରକାର ମଧ୍ୟ ନିଜ ଜିଦରେ ଅଟଳ ରହିଛନ୍ତି। ଚାଷୀଙ୍କ ସୁବିଧାକୁ ଗୁରୁତ୍ଵ ଦେଇ ଟୋକନ ବ୍ୟବସ୍ଥା କରାଯାଇଛି ତେଣୁ ଏହାକୁ ପ୍ରତ୍ୟାହାର କରାଯିବ ନାହିଁ ବରଂ ସାମାନ୍ୟ କୋହଳ କରାଯିବ ବୋଲି ସରକାର କହିଛନ୍ତି। ସେହି ସମୟରେ ଟୋକନ ବ୍ୟବସ୍ଥା ଚାଷୀମାନଙ୍କୁ ଏକ ପ୍ରକାର ହଇରାଣ କରିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ଚାଷୀ କହିଛନ୍ତି। ଚାଷୀଙ୍କ କହିବା ଅନୁଯାୟୀ, ଯଦି ଚାଷୀଙ୍କ ସୁବିଧାକୁ ଗୁରୁତ୍ଵ ଦିଆଯାଉଛି ତେବେ ଦର ବୃଦ୍ଧି କରାଯାଉ ତାହା ନକରି ସରକାର ଟୋକନ ବ୍ୟବସ୍ଥା କରିଛନ୍ତି। ଯାହା ଫଳରେ ଧାନ ଅମଳ କରି ସାରିଥିବା କିଛି ଚାଷୀଙ୍କୁ ଟୋକନ ମିଳି ନଥିବା ବେଳେ ଅମଳ କରି ନଥିବା କିଛି ଚାଷୀଙ୍କୁ ଟୋକନ ମିଳୀ ସାରିଛି। ସେହି ସମୟରେ ଟୋକୋନ ବ୍ୟବସ୍ଥା ହେବା ଦ୍ଵାରା ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଚାଷୀଙ୍କୁ ଧାନ ଦେବାକୁ ପଡିବ ତେଣୁ ଚାଷୀଙ୍କ ଉପରେ ଚାପ ରହିବ। ଏପରିକି ଟୋକନ ବ୍ୟବସ୍ଥାରେ ମଧ୍ୟ ଅନିୟମିତତା ଦେଖାଯାାଉଛି।